ଘରେ ରହିବା ପାଇଁ ହାତଯୋଡ଼ି ନିବେଦନ କଲା କଂଗ୍ରେସ

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ମୁକାବିଲାରେ ଗଣମାଧ୍ୟମର ଅବଦାନକୁ ପ୍ରଶଂସା କରିଛି କଂଗ୍ରେସ । ରାଜ୍ୟ କଂଗ୍ରେସର ପକ୍ଷ ରଖି ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି ଯେ ଦେଶ ତଥା ରାଜ୍ୟରେ କରୋନା ସମ୍ବନ୍ଧିତ ସଚେତନତା ଓ ସୂଚନା ତୃଣମୂଳସ୍ତରରେ ପହଞ୍ଚିବା ପାଇଁ ଗଣମାଧ୍ୟମ ପ୍ରଶଂସନୀୟ କାର୍ଯ୍ୟ କରିଛି। ସାଧାରଣରେ ଲୋକଙ୍କୁ ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ସଚେତନ କରି ସାମ୍ବାଦିକ ଭାଇଭଉଣୀମାନେ ଖବର ଯୋଗାଇବାରେ ବ୍ୟସ୍ତ ଅଛନ୍ତି। ବିଷମ ପରିସ୍ଥିତିରେ ଦାୟିତ୍ୱବାନ ଗଣମାଧ୍ୟମ ଯାହା କରିବା କଥା ଆମ ଗଣମାଧ୍ୟମ ସେସବୁ କରୁଛି।

ସେହିଭଳି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କରୋନା ମୁକାବିଲା ପଦକ୍ଷେପକୁ ଶ୍ରୀ ରାଉତରାୟ ପ୍ରଶଂସା କରିଛନ୍ତି। କହିଛନ୍ତି ଯେ, କରୋନା ବ୍ୟାପିବାର ପାଖାପାଖି ୩ ସପ୍ତାହ ପରେ ସବୁ ଦେଶରେ ଏହା ଭୟଙ୍କର ରୂପ ନେଉଥିଲେ ମଧ୍ୟ ଭାରତ କିମ୍ବା ଆମ ରାଜ୍ୟରେ ଏଭଳି ସ୍ଥିତି ଦେଖା ଦେଇନାହିଁ। ଦେଶରେ ଲୋକଙ୍କୁ ସଚେତନ କରିବା ସହ ତାଲାବନ୍ଦ ଭଳି ପଦକ୍ଷେପ ଦେଶକୁ ଅପେକ୍ଷାକୃତ ଭାବେ ଭଲ ସ୍ଥିତିରେ ରଖିଛି। କେନ୍ଦ୍ର ସରକାରଙ୍କ କରୋନା ମୁକାବିଲା ପାଇଁ ପ୍ୟାକେଜ୍ ମଧ୍ୟ ଖଟିଖିଆ ମଜୁରିଆ ଓ ଗରିବ ଲୋକଙ୍କ ପାଇଁ ସହାୟକ ହେବ। କାମ ଦାମ ବନ୍ଦ ହୋଇ ପଡ଼ିଥିବାରୁ ଦେଶର ଅନେକ ଲୋକେ ବଞ୍ଚିବା ପାଇଁ ଖାଦ୍ୟ ଯୋଗାଡ଼ କରିବା ମଧ୍ୟ କଷ୍ଟକର ହୋଇପଡ଼ିଛି।

ଏଭଳି ସ୍ଥିତିରେ କେନ୍ଦ୍ର ସରକାରଙ୍କ ଆର୍ଥିକ ପ୍ୟାକେଜ ଲୋକଙ୍କୁ ଆହାର ଯୋଗାଇବାରେ ସହାୟକ ହେବ। ତେବେ ପ୍ୟାକେଜରେ ମିଳିବାକୁ ଥିବା ଟଙ୍କା ଲୋକଙ୍କ ପାଖରେ ପହଞ୍ଚିବା ପର୍ଯ୍ୟନ୍ତ ଖାଇବାକୁ ପାଉନଥିବା ଲୋକଙ୍କ ପାଖରେ ରାଜ୍ୟ ଓ କେନ୍ଦ୍ର ସରକାର ପ୍ୟାକେଟ ଯୋଗେ ଖାଦ୍ୟ ପହଞ୍ଚାଇବା ପାଇଁ କଂଗ୍ରେସ ପକ୍ଷରୁ ପରାମର୍ଶ ଦିଆଯାଇଛି। ଅନ୍ୟପକ୍ଷରେ ରାଜ୍ୟର ସବୁ ଜନସାଧାରଣଙ୍କୁ ସାମାଜିକ ଦୂରତ୍ୱ ବନାଇ ରଖିବା ପାଇଁ ଶ୍ରୀ ରାଉତରାୟ କହିଛନ୍ତି। ରାଜ୍ୟବାସୀଙ୍କୁ ଅନାବଶ୍ୟକ ଭାବେ ଘରୁ ନବାହାରିବା ପାଇଁ ହାତ ଯୋଡ଼ି ନିବେଦନ କରିଛନ୍ତି। ଅନାବଶ୍ୟକ ଭାବେ ଏକାଠି ଖେଳକୁଦରେ ମାତିବା କିମ୍ବା ଗୋଷ୍ଠୀ ହୋଇ ଉତ୍ସବ ନକରିବା ପାଇଁ କଂଗ୍ରେସ ଅନୁରୋଧ କରିଛି। ରାଜ୍ୟ କଂଗ୍ରେସ ଏବେକାର ସ୍ଥିତିରେ ସରକାରଙ୍କୁ ଦଳମତ ନିର୍ବିଶେଷରେ ନିଜର ସାଧ୍ୟ ମତେ ସବୁ ପ୍ରକାର ସହଯୋଗ ଦେବା ପାଇଁ ଆଗ୍ରହୀ ଥିବା ଜଣାଇଛି।