ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ବନଖଣ୍ଡ ରିଆମାଳ ରେଞ୍ଜ ପଲସମା ସେକ୍ସନ ଲଷ୍ମୀପୁର ବିଟ ଅନ୍ତର୍ଗତ ହାଡସଂହାର ଗ୍ରାମରେ ଆଜି ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ଆଜି ହାଡସଂହାର ଗ୍ରାମର ବିମ୍ବାଧର ସାହୁ (୫୫) ନାମକ ଜଣେ ବ୍ୟକ୍ତି ସକାଳ ପ୍ରାୟ ୯ଟା ସମୟରେ ଗାଁ’ଜଙ୍ଗଲକୁ ଯାଇଥିବା ବେଳେ ଏକ ଭାଲୁ ହାବୁଡ଼ରେ ପଡି ଯାଇଥିଲେ। ସେଠାରେ ଭାଲୁ ଆକ୍ରମଣରେ ବିମ୍ବାଙ୍କ ମୁହଁ, ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ତାଙ୍କ ଚିତ୍କାର ଶୁଣି ପାଖରେ ଥିବା ଅନ୍ୟ କେତେକ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ସୂଚନା ଦେଇଥିଲେ।

ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଛେଣ୍ଡିପଡ଼ା ଡାକ୍ତରଖାନା ଓ ଅନୁଗୁଳ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ସଙ୍କଟା ପନ୍ନ ହେବାରୁ ତାଙ୍କୁ କଟକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏ ସମ୍ପର୍କରେ ଦେବଗଡ଼ ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀଙ୍କ ମତାମତ ଲୋଡିବାରୁ ସେ ଘଟଣାକୁ ସ୍ୱିକାର କରିବା ସହ ମହୁଲ ଗୋଟାଇବା ପାଇଁ ଲୋକେ ଜଙ୍ଗଲରେ ନିଆଁ ଲଗାଇ ଦେଉଥିବାରୁ ବନ୍ୟ ଜନ୍ତୁମାନେ ନିଆଁ ଧୂଆଁରେ ଅଣନିଶ୍ୱାସୀ ହୋଇ ଆକ୍ରମକ ହୋଉଛନ୍ତି ବୋଲି ପ୍ରକାଶ କରିଛନ୍ତି। ଏଥିସହ ଲୋକମାନେ ଜଙ୍ଗଲରେ ନିଆଁ ଲଗା ବନ୍ଦ କରି ଜଙ୍ଗଲରେ ବୁଲା ବୁଲି ନ କରିବାକୁ ପରାମର୍ଶ ଦେଇଛନ୍ତି।