ଗେଲ ଇଣ୍ଡିଆ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ : ଲୁଟିନେଲେ ମୋବାଇଲ, ଟଙ୍କା

ଦେବଗଡ,ଏନ୍ଏନ୍ଏସ୍: ଗେଲ ଇଣ୍ଡିଆ କର୍ମଚାରୀଙ୍କୁ ମାଡ଼ ମାରି ଲୁଟିନେଲେ ମୋବାଇଲ ଓ ଟଙ୍କା। ଏଭଳି ଅଭାବନୀୟ ଘଟଣା ଘଟିଛି, ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଝରାବେର୍ଣ୍ଣୀ ଗ୍ରାମ ଅଂଚଳରେ। ଗେଲ ଇଣ୍ଡିଆ ପକ୍ଷରୁ ଚାଲିଥିବା ଏକ ପ୍ରକଳ୍ପ କାର୍ଯ୍ୟରେ ନିୟୋଜିତ ଏକ ଘରୋଇ କଂପାନୀର କର୍ମଚାରୀମାନଙ୍କୁ ଉକ୍ତ ଗ୍ରାମର କେତେକ ଯୁବକ ମାଡ଼ ମାରିବା ସହ ପ୍ରକଳ୍ପ କାର୍ଯ୍ୟରେ ନିୟୋଜିତ ମେସିନ ଓ ଗାଡିଗୁଡିକୁ ଅଟକ ରଖି ଅର୍ଥ ଦାବୀ କରୁଥିବା ନେଇ କୁଣ୍ଡେଇଗୋଳା ଥାନାରେ ଅଭିଯୋଗ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଝରାବେର୍ଣ୍ଣୀ ଗ୍ରାମ ଠାରେ ଗେଲ ଇଣ୍ଡିଆ ପକ୍ଷରୁ ଚାଲିଥିବା ଏକ ପ୍ରକଳ୍ପକାର୍ଯ୍ୟରେ ନିୟୋଜିତ ଏକ ଘରୋଇ କଂପାନୀର ଏକ୍ସାଭେଟର ,ପାଇପ ବୋଝେଇ ଟ୍ରଲର(ସିଜି-୧୩ ଏଲଏ ୨୬୧୩) ,ସ୍କୋର୍ପିଓ(ଓଆର୦୨ଏଜେଡ୫୦୫୫)ଓ ଏକ ହାଇଡ୍ରା ମେସିନକୁ ଉକ୍ତ ଗ୍ରାମର ତୀର୍ଥବାସୀ ପାତ୍ର,ଟୁକୁନା ପାତ୍ର,ବରୁଣ ପାତ୍ର ଓ ଚଉଷଠି ପାତ୍ରଙ୍କ ସମେତ ଆଉ କେତେକ ଯୁବକ ଗତ ପ୍ରାୟ ୧୪ ଦିନ ପୂର୍ବରୁ ଗ୍ରାମରେ ଅଟକ ରଖି ଲକ୍ଷାଧିକ ଟଙ୍କା ଦାଦାବଟି ମାଗିବା ସହ ଟଙ୍କା ନ ଦେଲେ ଗାଡି ଛଡା ଯିବ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଥିଲେ। କଂପାନୀ କର୍ମଚାରୀମାନେ ପ୍ରଥମ ପର୍ଯ୍ୟାୟରେ ୫ ହଜାର ଟଙ୍କା ଦେଇ ଏକ୍ସାଭେଟର ମ୍ୟାସିନକୁ ମୁକୁଲାଇଥିବା ବେଳେ ଅନ୍ୟ ଗାଡି ଗୁଡିକୁ ଉପରୋକ୍ତ ଅଭିଯୁକ୍ତମାନେ ଛାଡି ନ ଥିଲେ ।

ସୋମବାର ସନ୍ଧ୍ୟାରେ କଂପାନୀର ସାଇଡ ଇନଚାର୍ଜ ପଟ୍ଟାମୁଣ୍ଡାଇ ଅଂଚଳର ବିବେକା ନନ୍ଦ ସାହୁ,ସାଇଡ ଇନଚାର୍ଜ ଅନୀଲ କୁମାର , ଇଂ ରାହୁଲ କୁମାର ସିଂ ,ସାଇଡ ଇଂ କିସନ କୁମାର, ସୁପରଭାଇଜର ବଳରାମ ପଲେଇ, ଶତ୍ରୁଘ୍ନ ମହାପାତ୍ର ଓ ଟ୍ରଲର ଚାଳକ ପ୍ରମୁଖ ଉକ୍ତ ଗ୍ରାମର ଯୁବକମାନଙ୍କ ସହ ଆଲୋଚନା କରି ଗାଡି ଗୁଡିକୁ ମୁକୁଲାଇବା ପାଇଁ ଯାଇଥିବା ବେଳେ ଉପରୋକ୍ତ ଅଭିଯୁକ୍ତମାନେ ମୋଟା ଅଙ୍କର ଅର୍ଥ ଦାବୀ କରି କଂପାନୀ କର୍ମଚାରୀମାନଙ୍କୁ ପ୍ରବଳ ମାଡ ଦେବା ସହ ସେମାନଙ୍କ ମୋବାଇଲ ଫୋନ ଓ ସମସ୍ତ କର୍ମଚାରୀଙ୍କ ପର୍ସରେ ଥିବା ଟଙ୍କା ପଇସା ଲୁଟି ନେଇ ସେମାନଙ୍କୁ ଅଟକ ରଖି ଥିଲେ । ବିଳମ୍ବିତ ରାତ୍ରିରେ ଅନ୍ଧାରର ସୁଯୋଗ ନେଇ କଂପାନୀ କର୍ମଚାରୀମାନେ ସେଠାରୁ ଖସି ଆସି ଥିବା ବେଳେ ଟ୍ରଲର ଚାଳକ ଓ ଉପରୋକ୍ତ ଗାଡି ଗୁଡିକ ଅଭିଯୁକ୍ତମାନଙ୍କ କବଳରେ ଫଶି ରହିଛି ।

ଏ ନେଇ କଂପାନୀ କର୍ମଚାରୀମାନେ କୁଣ୍ଡେଇଗୋଳା ଥାନାରେ ଲିଖିତ ଅଭିଯୋଗ ଦେବାକୁ ଯାଇଥିଲେ ମଧ୍ୟ କୁଣ୍ଡେଇଗୋଳାଥାନା ପୁଲିସ କଂପାନୀର ଅଭିଯୋଗ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ପରିବତେ ର୍ ଅଭିଯୁକ୍ତ ମାନଙ୍କୁ ଘଂଟ ଘୋଡାଉଥିବା କଂପାନୀ ପକ୍ଷରୁ ଅଭିଯୋଗ ହୋଇଛି । ଏ ନେଇ କଂପାନୀ ପକ୍ଷରୁ ଗଣ ମାଧ୍ୟମ ପ୍ରତିନିଧିଙ୍କୁ ଜଣାଇବା ପରେ ଗଣମାଧ୍ୟମର ପ୍ରତିନିଧି ଏସପିଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇବା ପରେ ଏସପି ରାହୁଲ ଜୈନ ଘଟଣାର ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।