୭ ଆନ୍ତଃରାଜ୍ୟ ଡ଼କାୟତ ଗିରଫ

ପାଟଣା,ଏନ୍ଏନ୍ଏସ୍ : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ପୋଲିସ ଆଜି ୭ ଆନ୍ତଃରାଜ୍ୟ ଡ଼କାୟତକୁ ଗିରଫ କରିଛି । ଏମାନଙ୍କ ଠାରୁ ମାରଣାସ୍ତ୍ର ସହ ୨ଟି ଦେଶୀ ବନ୍ଧୁକ ୩ ଟି ଜୀବନ୍ତ ଗୁଳି ଓ ୩ଟି ବାଇକ ଜବତ କରିଛି । ଗିରଫ ଲୁଟେରା ହେଲେ ମୟୁରଭଞ୍ଜ ଜିଲ୍ଲା ଘାଗର ବେଡା ଥାନା ଛେଳିଆନାଳ ଗ୍ରାମର ବିଶ୍ଵଜିତ ଗିରି,ଘାଗର ବେଡା ଥାନା କୁଦାସାହିର ଗଣେଷ ଲାଗୁରୀ,ଝାଡଖଣ୍ଡ ପଶ୍ଚିମ ସିଂଭୂମ ଜିଲ୍ଲା ଜଗନ୍ନାଥପୁର ଥାନା ଛଣପଦା ଗ୍ରାମର ମୃତ୍ୟୁଞ୍ଜୟ ବେହେରା,କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା କୁଦଗାଡ଼ିଆ ଗ୍ରାମର ସିପୁନ ବାରିକ,କେନ୍ଦୁଝର ତୁରୁମୁଙ୍ଗା ଥାନା ତ୍ରିବିନ୍ଦା ଗ୍ରାମର ତ୍ରିନାଥ ମହାନ୍ତ ଚନ୍ଦ୍ର ଶେଖର ପାତ୍ର ଓ ଚନ୍ଦନ ପାତ୍ର ।

ସୂଚନା ଅନୁଯାୟୀ, ଗତ ଶନିବାର ବିଲମ୍ବିତ ରାତିରେ ତୁରୁମୁଙ୍ଗା ଥାନା ଝାରବେଡ଼ା ଗ୍ରାମର କ୍ଷୀରୋଦ ବେହେରାଙ୍କ ଘରେ ପଶି ଲୁଟ ଉଦ୍ୟମ କରିଥିଲେ । ଲୁଟକୁ ବିରୋଧ କରିବାରୁ ଲୁଟେରାମାନେ କ୍ଷୀରୋଦ ଓ ତାଙ୍କ ଝିଅଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ବନ୍ଧୁକରେ ଆକ୍ରମଣ କରି ବାପା ଓ ଝିଅଙ୍କ ଦୁଇଟି ମୋବାଇଲ ନେଇ ପଳାଇଥିଲେ। ଉକ୍ତ ମୋବାଇଲ ନମ୍ବରକୁ ଟ୍ରାକିଂ କରି ପୋଲିସ ଏହି ସଫଳତା ପାଇଛି । ଏମାନଙ୍କୁ ଗିରଫ କରାଯାଇ କୋର୍ଟ ଚଲାଣ କରାଯିବ ବୋଲି ସମ୍ବାଦିକ ସମ୍ମିଳନୀ କରି ଚମ୍ପୁଆ ଏସଡିପିଓ ହରିହର ପାଣି ସୂଚନା ଦେଇଛନ୍ତି ।