ମାଲକାନଗିରି,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଂଚଳରେ ମାଓବାଦୀଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ଦାର୍ଲାବେଡ଼ା ଗ୍ରାମରେ ଗତକାଲି ପୁଣି ଏକ ବି.ଏସ.ଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି। ଆରକ୍ଷୀ ଅଧିକ୍ଷକ ରିଷିକେଶ ଡି.ଖିଲାରୀଙ୍କ ନେତୃତ୍ୱରେ ବି.ଏସ.ଏଫର କମାଣ୍ଡେଂଟ ଏ.କେ ଆରୟାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ଜେ.ସି.ବି ମେସିନ ସହ ବିଭିନ୍ନ ଡି.ଭି.ଏଫ , ଏସ.ଓ.ଜି ବାହିନୀର ଯବାନଙ୍କ କଡ଼ା ପ୍ରହରା ମଧ୍ୟରେ ଏହି କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି ।
ଯବାନମାନେ ପହଂଚିବା ପରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ନଳକୂପ ଖନନ କାର୍ଯ୍ୟ ଆରମ୍ଭ କରାଯାଇ ଯବାନମାନେ ଅସ୍ଥାୟୀ ତମ୍ବୁ ନିର୍ମାଣ କରିଥିଲେ। ଏଥିସହ ପଚେରୀ ନିର୍ମାଣ ପାଇଁ ଜେ.ସି.ବି ମାଟି ଖୋଳା କାର୍ଯ୍ୟ ଆରମ୍ଭ ହୋଇଥିଲା। ପରେ ପାରମ୍ପରୀକ ରିତି ନିତି ଅନୁଯାୟୀ ପୂଜାର୍ଚ୍ଚନା ହେବା ପରେ ଅଧିକାରୀମାନେ ପରସ୍ପରକୁ ପ୍ରସାଦ ସେବନ କରାଇଥିଲେ। ପରେ ପରେ ତ୍ରିରଙ୍ଗା ପତାକା ଉତୋଳନ କରାଯାଇ ଭାରତ ମାତା କି ଜୟ, ବନ୍ଦେ ମାତାରାମ ଧ୍ୱନିରେ ଗ୍ରାମ ପ୍ରକମ୍ପିତ ହୋଇଉଠିଥିଲା। କ୍ୟାମ୍ପ ପ୍ରତିଷ୍ଠା ପରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଖିଲାରୀ ଗ୍ରାମବାସୀଙ୍କ ସହ ସେମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଛନ୍ତି ।
ଏଥିସହ ସମସ୍ୟା ସମାଧାନ ପାଇଁ ଚେଷ୍ଟାକରାଯିବ ବୋଲି ପ୍ରତିଶ୍ରୃତି ଦେଇଛନ୍ତି। ଏଠାକାର ଲୋକେ ନ୍ୟାୟ ପାଉନଥିଲେ ଓ ମାଓବାଦୀଙ୍କ ଆକ୍ରୋଶର ଶୀକାର ହେଉଥିଲେ। ନିକଟରେ ଏକ ନଳକୂପକୁ ମଧ୍ୟ ମାଓବାଦୀମାନେ ବନ୍ଦ କରି ଦେଇଥିଲେ। ଏହାକୁ ଦେଖି ଲୋକଙ୍କ ସୁରକ୍ଷା ପ୍ରଦାନ କରାଯିବାର ଆବଶ୍ୟକତା ଥିବାରୁ ଏଠାରେ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି ଓ ପରେ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ ହେଉଛି ଓ ଆଗକୁ ଉନ୍ନୟନମୂଳକ କାର୍ଯ୍ୟ ଚାଲୁ ରହିବ। ଏଥିସହ ଏହି ଅଂଚଳର ସୁରକ୍ଷା ବ୍ୟବସ୍ଥା ସୁଧାରିବାକୁ ଆମର ପ୍ରଚେଷ୍ଟା ରହିବ ବୋଲି ଆରକ୍ଷୀ ଅଧିକ୍ଷକ ଶ୍ରୀ ଖିଲାରୀ ପ୍ରକାଶ କରିଛନ୍ତି।