କରୋନାକୁ ନେଇ ଚିନ୍ତାରେ ଭାରତ, ପୁଣି ୧୮ଜଣଙ୍କ ରକ୍ତ ନମୁନା ଆସିଲା ପଜିଟିଭ୍‌

ନୂଆଦିଲ୍ଲୀ,ଏଜେନ୍ସି: ସାରା ଦେଶରେ କରୋନା ଏବେ କାୟା ବିସ୍ତାର କରିବାରେ ଲାଗିଛି। ପୁଣି ୧୮ଜଣଙ୍କ ରକ୍ତ ନମୁନା ପଜିଟିଭ୍‌ ଆସିଛି। ସେପଟେ କରୋନାକୁ ନେଇ ଚିନ୍ତାରେ ଭାରତ। ଗତ କିଛି ଦିନ ହେବ ବଢି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା। ଏହି ସଂଖ୍ୟା ୬୨ରେ ପହଞ୍ଚିଛି। କରୋନା ଭୂତାଣୁକୁ ନେଇ ସାରା ବିଶ୍ବ ଚିନ୍ତାରେ। ଚୀନର ଉହାନ ସହରରୁ ବ୍ୟାପିଥିବା ଏହି ଭୟଙ୍କର ଭୂତାଣୁ ଏବେ ବିଶ୍ବର ୯୩ରୁ ଅଧିକ ରାଷ୍ଟ୍ରକୁ କବଳିତ କରିଛି। ଚୀନରେ ଧୀରେ ଧୀରେ ଏହା ନିୟନ୍ତ୍ରଣାଧୀନ ହେଉଥିବାବେଳେ ଅନ୍ୟାନ୍ୟ ରାଷ୍ଟ୍ରରେ ଆକ୍ରାନ୍ତ ଏବଂ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ସାରା ବିଶ୍ବରେ ଏବେ ସୁଦ୍ଧା କରୋନା ଭୂତାଣୁ ଦ୍ବାରା ୪୦୧୧ ଜଣଙ୍କ ମୃତ୍ୟୁ ଘଟିଛି। ଇତିମଧ୍ୟରେ ଭାରତରେ ଆକ୍ରାନ୍ତ ସଂଖ୍ୟା ବୁଧବାର ସୁଦ୍ଧା ୬୨ରେ ପହଞ୍ଚିଛି। ପୂର୍ବରୁ ୪୪ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୮ ନୂଆ ସନ୍ଦିଗ୍ଧଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ଏମାନଙ୍କ ମଧ୍ୟରେ କେବଳ କେରଳରେ ୮ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମହାରାଷ୍ଟ୍ରରେ ୫, କର୍ଣ୍ଣାଟକରେ ୪ ଏବଂ ଜାମ୍ମୁ-କାଶ୍ମୀରରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନ୍ୟପଟେ ପ୍ରଥମ ଥର ପାଇଁ ଭାରତରେ ଦୁଇ ଜଣ କରୋନା ରୋଗୀଙ୍କ ଦେହରେ ଆଣ୍ଟି-ଏଚ୍‌.ଆଇ.ଭି ଡ୍ରଗ୍‌ ପରୀକ୍ଷା କରାଯାଇଥିବା ସୂଚନା ମିଳିଛି। ଅନ୍ୟପଟେ ଚୀନ୍‌ ସମେତ ମୋଟ ମୃତ୍ୟୁ ସଂଖା ୪ ହଜାର ଡେଇଁଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧୦ ହଜାର ଟପି ଯାଇଛି।