ବାଇକରେ ବୁହା ହେଉଛି ସିବିଏସଇ ମାଟ୍ରିକ ପ୍ରଶ୍ନପତ୍ର ଜିଲ୍ଲା By Nitidin On Feb 29, 2020 Share ରାୟଗଡ଼ା,ଏନ୍ଏନ୍ଏସ୍ : ବୋର୍ଡ ପରୀକ୍ଷାର ପ୍ରଶ୍ନପତ୍ର ଅତ୍ୟନ୍ତ ଯତ୍ନର ସହ ସୁରକ୍ଷା ବଳୟ ଭିତରେ ଗ୍ରହଣ କରିବା ଓ ରଖିବା ପାଇଁ ନିର୍ଦ୍ଦେଶ ଥିବା ସତ୍ୱେ ଏହାର ଖୋଲା ଉଲ୍ଲଂଘନ ହୋଇଛି। ସିବିଏସଇ ଦଶମ ଶ୍ରେଣୀର ପିଲାଙ୍କ ପ୍ରଶ୍ନପତ୍ର ଅତି ବେପାରୁଆ ଭାବେ ଏକ ସାଧା ବ୍ୟାଗରେ ଭର୍ତିକରି ବାଇକରେ ଆଣିଛନ୍ତି ପରୀକ୍ଷା କେନ୍ଦ୍ରକୁ କର୍ତୃପକ୍ଷ। ଆଉ ଏଥିପାଇଁ ପୁଲିସକୁ ଦାୟୀ କରିଛନ୍ତି। ଯାହାକି ଅଭିଭାବକଙ୍କ ଚିନ୍ତା ବଢାଇବାରେ ଲାଗିଛି। ରାୟଗଡ଼ା ସହର ଉପକଣ୍ଠରେ ଥିବା ଏକଲବ୍ୟ ଆଦର୍ଶ ବିଦ୍ୟାଳୟରେ ଦଶମ ଶ୍ରେଣୀ ସିବିଏସଇର ପରୀକ୍ଷା ଅନୁଷ୍ଠିତ ହେଉଛି। ୩ ଟି ବିଦ୍ୟାଳୟର ୧୪୬ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ପ୍ରଦାନ କରୁଛନ୍ତି। ହେଲେ ପରୀକ୍ଷା କେନ୍ଦ୍ର କର୍ତୃପକ୍ଷ ପିଲାଙ୍କ ଭବିଷ୍ୟତ ସହ ଖେଳୁଥିବା ନଜରକୁ ଆସିଛି। କଡା ସୁରକ୍ଷା ବଳୟରେ ପ୍ରଶ୍ନପତ୍ର ଅଣାଯିବା ପରିବର୍ତେ ବାଇକରେ ଏହା ଅଣାଯାଇଛି। ଏକଲବ୍ୟ ବିଦ୍ୟାଳୟରେ ଅଧ୍ୟକ୍ଷ ଡଃ ସନ୍ତୋଷ କୁମାର ପାତ୍ର ଓ ଅନ୍ୟ ୩ ଜଣ ଶିକ୍ଷକ ଏହିଭଳି କାର୍ଯ୍ୟ କରିଛନ୍ତି। ସ୍ଥାନୀୟ ନ୍ୟୁ କୋଲୋନୀ ସ୍ଥିତ ସିଣ୍ଡିକେଟ ବ୍ୟାଙ୍କରୁ ଅତି ବେପାରୁଆ ଭାବେ ପ୍ରଶ୍ନପତ୍ର ଗ୍ରହଣକରି ଏହାକୁ ବାଇକର ଡିକିରେ ରଖି ପରୀକ୍ଷା କେନ୍ଦ୍ରକୁ ଆଣିଥିଲେ। ଆଜିର ହିନ୍ଦି ପରୀକ୍ଷା ସମୟରେ ଏହି ଚିତ୍ର ଗଣମାଧ୍ୟମ କ୍ୟାମେରାରେ କଏଦ ହୋଇଥିଲା। ସିଣ୍ଡିକେଟ ବ୍ୟାଙ୍କରୁ ବାରିଝୋଲା ସ୍ଥିତ ଏକଲବ୍ୟ ବିଦ୍ୟାଳୟ ପର୍ଯ୍ୟନ୍ତ ୩୨୬ ନମ୍ବର ଜାତୀୟ ରାଜପଥରେ ବାଇକରେ ନିଆଯାଇଥିଲା। ଯାହାକି ସରକାରଙ୍କ ନିୟମର ଖୋଲା ଉଲ୍ଲଂଘନ। ବିଦ୍ୟାଳୟର ଅଧ୍ୟକ୍ଷ ସମସ୍ତ ନିୟମକୁ ମାଡିମୋକଚି ଏହିଭଳି କାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି। ଯାହାକି ଏକ ବିରାଟ ଅପରାଧ। ଯଦି କୌଣସି ସ୍ଥାନରେ ଚୋରି କିମ୍ବା ଅନ୍ୟ କିଛି ଅଘଟଣ ଘଟିଥାଆନ୍ତା ତେବେ କିଏ ଏଥିପ୍ରତି ଦାୟୀ ହୋଇଥାଆନ୍ତା। ଆଉ ସମଗ୍ର ଦେଶରେ ଏକକ ପରୀକ୍ଷା ହେଉଥିବା ଫଳରେ ପୁରା ଦେଶରେ ବାତିଲ କରିବା ପାଇଁ ପଡିଥାଆନ୍ତା। କେବଳ ଆଜି ନୁହଁ ପୂର୍ବରୁ ହୋଇଥିବା ଦୁଇଟି ପରୀକ୍ଷାରେ ମଧ୍ୟ ଏହିଭଳି ଭାବେ ପ୍ରଶପତ୍ର ବୁହା ହୋଇଛି। ଏଭଳିକି ବିଦ୍ୟାଳୟ ତଥା କେନ୍ଦ୍ରଟି ଏକ ନିର୍ଜନ ସ୍ଥାନରେ ରହିଛି। ଚୋରି ଓ ରାହାଜାନୀ ସେହି ସ୍ଥାନରେ ସର୍ବାଧିକ ଘଟୁଛି। ତେଣୁ ଅଧ୍ୟକ୍ଷଙ୍କ ବିରୁଦ୍ଧରେ କଡା କର୍ଯ୍ୟାନୁଷ୍ଠନ ପାଇଁ ଦାବି ଉଠିଛି। ପୁଲିସ ଥିବା ସତ୍ୱେ କାହିଁକି ସୁରକ୍ଷା ପାଇଁ ନିଆଗଲା ନାହିଁ ତାହା ତଦନ୍ତସାପେକ୍ଷ। ଏହି ବେପାରୁଆ କାର୍ଯ୍ୟ ସମ୍ପର୍କରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ତଥା ପରୀକ୍ଷା କେନ୍ଦ୍ରର ମୁଖ୍ୟ ଡଃ ସନ୍ତୋଷ କୁମାର ପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ପୁଲିସକୁ ଅପେକ୍ଷା କଲେ ସମୟ ଗଡ଼ିଯାଉଛି ତେଣୁ ମୁଁ ସହଯୋଗି ଶିକ୍ଷକଙ୍କୁ ନେଇ ପ୍ରଶ୍ନପତ୍ର ବାଇକରେ ଆଣିଥିଲି ତେବେ ପ୍ରଶ୍ନପତ୍ର ଆଣିବା ବାଟରେ ଲିକ ହୋଇନାହିଁ କି କୌଣସି ସ୍ଥାନରେ ହଜିନାହିଁ। କିଛି ଘଟଣା ଘଟିବାର ନାହିଁ ବୋଲି ବେପରୁଆ ଢ଼ଙ୍ଗରେ କହିଛନ୍ତି। ଏପରିକି ପୁଲିସକୁ ଆମେ ଜଣାଇଥିଲୁ କିନ୍ତୁ ପୁଲିସ ସୁରକ୍ଷା ଦେଇନାହିଁ ବୋଲି ମଧ୍ୟ କହିବାକୁ ପଛାଇନାହାଁନ୍ତି । ପୁଲିସ ନଆସିଲେ କଣ ପରୀକ୍ଷା ବନ୍ଦ କରିଦେବୁ କି ବୋଲି ଓଲଟି ପ୍ରଶ୍ନ କରିଛନ୍ତି। ଅପର ପକ୍ଷେ ରାୟଗଡ଼ା ଏସପି ଡଃ ଶର୍ବଣା ବିବେକ. ଏମ କହିଛନ୍ତି ଯେ ସେ ନିଜେ ସବୁ କେନ୍ଦ୍ରରେ ଶୃଙ୍ଖଳିତ ପରିକ୍ଷା ପାଇଁ ପୁଲିସ ମୁତୟନ କରିବା ସହ ବିଭିନ୍ନ ଷ୍ଟ୍ରଙ୍ଗରୁମରୁ ପରିକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ନେବା ଆଣିବା ପାଇଁ ଏସ୍କଟ ଟିମ ସହ ଗାଡ଼ିର ବ୍ୟବସ୍ଥା କରାଯାଇଛି ତେବେ କେଉଁ ପରିସ୍ଥିତିରେ ଏହା ଘଟିଲା ତାହାର ତଦନ୍ତ କରାଯିବ। ତେବେ ଏଠି ପ୍ରଶ୍ନ ଉଠୁଛି ପିଲାଙ୍କ ଭବିଶ୍ୟତ ସହ ଖେଳିବାକୁ ଅଧକ୍ଷଙ୍କୁ କ୍ଷମତା ଦେଲା କିଏ । ଯଦି ରାସ୍ଥାରେ ଘଟଣା କି ଦୁର୍ଘଟଣା ଘଟି ଥାନ୍ତା ତା ହେଲେ ପିଲା ପୁଣି ଚାପ ଗ୍ରସ୍ତ ହେବା ସହ ସରକାର ତହବିଲରୁ ରାଜକୋଷ ଖର୍ଚ୍ଚ ହେବା ସାର ହୋଇଥାନ୍ତା । ତେବେ ଏଦିଗରେ ବିଦ୍ଧିବଦ୍ଧ ତଦନ୍ତ କରି ଆଗାମି ଦିନରେ ଯେପରି କୈଣସି ଅଧକ୍ଷ ଏଭଳି ଭୁଲ ନ କରନ୍ତି ସେ ଦିଗରେ ଦୃଷ୍ଟି ଦେବା ଜରୁରି ହୋଇ ପଡ଼ିଛି । Share