ଦେବଗଡ/ରିଆମାଳ,ଏନ୍ଏନ୍ଏସ୍: ଶିକ୍ଷାର ମାନ ବୃଦ୍ଦି ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଦେବଗଡ଼ ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ଏବେ ମଧ୍ୟ ଶିକ୍ଷାର ଭିତ୍ତି ଭୂମି ବିକାଶ ହୋଇପାରି ନଥିବା ଦେଖିବାକୁ ମିଳିଛି। ଜିଲ୍ଲାର ଅନେକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ହୋଇପାରୁ ନଥିବା ବେଳେ ଅନେକ ବିଦ୍ୟାଳୟରେ ପାଚେରୀ ଓ ପାନୀୟ ଜଳ ଭଳି ମୈାଳିକ ସୁବିଧାରୁ ବଞ୍ଚିତ ଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲ ପରିଚାଳନା କମିଟି, ଗ୍ରାମବାସୀ ଓ ଅଭିଭାବକମାନେ ସ୍କୁଲରେ ତାଲା ପକାଇଛନ୍ତି।
ସୂଚନା ଅନୁଯାୟୀ ରିଆମାଳ ବ୍ଲକ୍ ଆଡସ ପଞ୍ଚାୟତ ଅନ୍ତର୍ଗତ ନବଡିହି କରଡାପାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବସନ୍ତ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ନବଡିହି, ଅଁଳାକୁଳି, ଝରଝରିଖୋଲ, ରତାଖଣ୍ଡି, ଚାଙ୍ଗୁଡିଆ, ବାଇଲଡିହି ଓ ମାଳିଚୂଆ ଗ୍ରାମର ବହୁ ଗ୍ରାମବାସୀ ଏକତ୍ରିତ ହୋଇ ପୂର୍ବାହ୍ନରେ ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଶିକ୍ଷକ ନିଯୁକ୍ତି ଦାବି କରୁଛନ୍ତି।
