ଆଜି ଖେଲୋ ଇଣ୍ଡିଆ କ୍ରୀଡ଼ାର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାରେ ଖେଳାଯିବାକୁ ଥିବା ଦେଶର ସର୍ବପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାକୁ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । କଟକର ଜବାହରଲାଲ ନେହରୁ ଇନଡୋର ଷ୍ଟାଡିୟମଠାରେ ଉଦଘାଟନୀ ସମାରୋହରେ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ କିରେନ ରିିିଜିଜୁ ମଧ୍ୟ ଉପସ୍ଥିତ ରହିବେ । ଓଡ଼ିଶା ରାଜ୍ୟ ସରକାରଙ୍କ ସହଯୋଗରେ ଭାରତ ସରକାର ଏହି ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡାର ଆୟୋଜନ କରିଛନ୍ତି ।

ଦେଶର ତୃଣମୂଳ ସ୍ତରରେ କ୍ରୀଡା ସଂସ୍କୃତିକୁ ଉଦଜୀବିତ କରିବା ତଥା ଦେଶରେ ସବୁ ପ୍ରକାର କ୍ରୀଡ଼ାର ଏକ ସୁଦୃଢ଼ ଭିତିଭୂମି ସ୍ଥାପନ କରିବା ଏହି ଖେଲୋ ଇଣ୍ଡିଆ କାର୍ୟ୍ୟକ୍ରମର ଲକ୍ଷ୍ୟ । ଏହି କ୍ରୀଡା ପ୍ରତିଯୋଗିତା ଭୁବନେଶ୍ୱର ଓ କଟକର ବିଭିନ୍ନ ଜାଗାରେ ମାର୍ଚ୍ଚ ପହିଲା ପର୍ୟ୍ୟନ୍ତ ଚାଲିବ ।

ବିଶ୍ୱବିଦ୍ୟାଳୟ ସ୍ତରରେ ଏହା ଦେଶର ସର୍ବବୃହତ ପ୍ରତିଯୋଗିତା । ଦେଶର ୧୫୦ ବିଶ୍ୱବିଦ୍ୟାଳୟରୁ ପ୍ରାୟ ସାଢେ଼ ୩ ହଜାର କ୍ରୀଡାବିତ ଏଥିରେ ଅଂଶଗ୍ରହଣ କରୁଛନ୍ତି । ଏଥିରେ ମୋଟ ୧୭ଟି କ୍ରୀଡା ଶ୍ରେଣୀ ରହିଛି । ସେଗୁଡିକ ହେଲା ତୀରନ୍ଦାଜୀ, ଦୌଡକୁଦ, ମୁଷ୍ଠିଯୁଦ୍ଧ, ଅଶୀଚାଳନା, ଜୁଡୋ, ସନ୍ତରଣ, ଭାରତୋଳନ, କୁସ୍ତି, ବାଡମିଂଟନ, ବାସ୍କେଟ ବଲ, ଫୁଟବଲ, ହକି, ଟେବୁଲ ଟେନିସ, ଟେନିସ, ଭଲିବଲ, ରଗବୀ ଏବଂ କବାଡ଼ି ।