ଝାରସୁଗୁଡ଼ା,ଏନ୍ଏନ୍ଏସ୍: କଳ୍ପନା ଦାସ ଓ ବବଲି ଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅନୁପ ସାଏଙ୍କୁ ପୁଲିସ ୩ ଦିନିଆ ରିମାଣ୍ଡରେ ନେଇ ମାରାଥନ ଜେରା ଜାରି ରଖିଛି। ଶନିବାର ଅନୁପଙ୍କ ରିମାଣ୍ଡ ଅବଧି ସରିବା ପରେ ତାଙ୍କୁ କୋର୍ଟରେ ହାଜର କରି ପୁଣି ଜେଲ ପଠାଇ ଦିଆଯିବ। ଏହା ପୂର୍ବରୁ ମାରାଥନ ଜେରା କରି ପୁଲିସ ହତ୍ୟାକାଣ୍ଡର ସମସ୍ତ ରହସ୍ୟ ଉନ୍ମୋଚନ ପାଇଁ ପ୍ରୟାସ ଜାରି ରଖିଛି ବୋଲି ରାୟଗଡ଼ ଏଏସ୍ପି ଅଭିଷେକ ବର୍ମା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଅନୁପ ଓ ବର୍ଦ୍ଧନର ବୟାନ, ହତ୍ୟାକାଣ୍ଡର ପ୍ରାଥମିକ ତଦନ୍ତ ତଥା ସେମାନଙ୍କ ସମ୍ପର୍କୀୟ ଓ ସହଯୋଗୀମାନଙ୍କୁ ପଚାରାଉଚରା କଲା ପରେ ମିଳିଥିିବା ତଥ୍ୟ ଆଧାରରେ ପୁଲିସ ତଦନ୍ତ ପ୍ରକ୍ରିୟାକୁ ଆଗେଇଛି।
ଧୀରେ ଧୀରେ ଏହି ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ମାରଣାସ୍ତ୍ର, ଗାଡ଼ି ଓ ଏଥିରେ ସାମିଲ ଥିବା ଲୋକଙ୍କ ବିଷୟରେ ପୁଲିସକୁ ଅଧିକ ସୂଚନା ମିଳିପାରୁଛି। ହତ୍ୟାକାଣ୍ଡରେ ସାମିଲ ଥିବା ଅଭିଯୁକ୍ତଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଛି। ସମସ୍ତ ତଥ୍ୟକୁ ଏକ୍ଜୁଟ କରି ହତ୍ୟାକାଣ୍ଡରେ ସାମିଲ ଥିବା ପ୍ରତ୍ୟେକ ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ଚେଷ୍ଟା ଜାରି ରଖିଛି ବୋଲି ସେ କହିଛନ୍ତି। ତେବେ କଳ୍ପନା ଓ ବବଲିକୁ ଲୁହା ରଡରେ ଆକ୍ରମଣ କଲା ପରେ ତାଙ୍କ ଉପରେ ମଡ଼ା ଯାଇଥିବା ବୋଲେରୋକୁ ଖୋଜିବା ପାଇଁ ପୁଲିସର ଏକ ସ୍ୱତନ୍ତ୍ର ଦଳ ଗୁଜରାଟ ଯାଇ ତଦନ୍ତ ଜାରି ରଖିଛି।
ମିଳିଥିବା ସୂଚନା ଅନୁଯାୟୀ ବୋଲେରୋ ସମ୍ପର୍କରେ କୌଣସି ସନ୍ଧାନ ପୁଲିସ ଏଯାଏଁ ପାଇନାହିଁ। ଗୁଜରାଟରେ ଥିବା ଏହି ବୋଲେରୋଟି ଅନୁପ ସାଏଙ୍କ ପୁରୁଣା ବୋଲେରୋ (ଓଆର୦୨ଏୱଇ୮୫୯୬)। ଏହାକୁ ଅନୁପ ୨୦୦୯ ମସିହାରେ କିଣି ୨୦୧୫ ମସିହାରେ ତାଙ୍କର ସମ୍ପର୍କୀୟ ସୁନିଲ ସାଏ ଦେଓଙ୍କୁ ବିକ୍ରି କରିଥିଲେ। ପରେ ଏହି ବୋଲେରୋକୁ ସୁନୀଲ ୨୦୧୭ ଜୁଲାଇ ମାସରେ ଟିଟିଲାଗଡ଼ର ଜଣେ ବ୍ୟବସାୟୀ ସୁନୀଲ ଆଚାର୍ଯ୍ୟକୁ ବିକ୍ରି କରିଥିଲେ। ତେବେ ଏହି ବୋଲେରୋଟି ବର୍ତ୍ତମାନ ପର୍ଯ୍ୟନ୍ତ ସୁନୀଲ ସାଏଦେଓଙ୍କ ନାମରେ ରହିଥିବା ବେଳେ ସୁନୀଲ ଆଚାର୍ଯ୍ୟ ଏହି ଗାଡ଼ିକୁ ଗୁଜରାଟର ଜଣେ ବ୍ୟବସାୟୀଙ୍କୁ ଓଏଲଏକ୍ସରେ ବିକ୍ରି କରିଥିବା କହିଥିଲେ।
ଫଳରେ ପୁଲିସ ଗୁଜରାଟ ଯାଇ ବୋଲେରୋକୁ ଖୋଜିବା ଆରମ୍ଭ କରି ଦେଇଛି। ୨୦୧୫ ମସିହାରେ ଅନୁପ ବିକ୍ରି କରିଥିବା ଏହି ବୋଲେରୋ ହତ୍ୟାରେ ବ୍ୟବହାର ହୋଇଛି ନା ନାହିଁ ତାହା ଜାଣିବା ପାଇଁ ଅନୁପଙ୍କଠାରୁ ବୋଲେରୋ କିଣିଥିବା ସୁନିଲ ସାଏଦେଓ ଓ ସୁରେନ୍ଦ୍ର ସାଏଦେଓଙ୍କୁ ଚକ୍ରଧରନଗର ଥାନା ଡକାଇ ପଚରାଉଚରା କରିଛି। ଏହାସହ ଅନୁପଙ୍କ ପାଖରେ ଥିବା ଇନୋଭା (ଓଡି୦୨ଭି୯୭୪୪)କୁ ପୁଲିସ ଜବତ କରିଛି । ଏହାସହ ଅନୁପଙ୍କ ନାର୍କୋ ଟେଷ୍ଟ ପାଇଁ କୋର୍ଟ ଅନୁମତି ପ୍ରଦାନ କରିବେ ନା ନାହିଁ ତାହା ମଧ୍ୟ ସନ୍ଦେହ ଘେରରେ ରହିଛି। କାରଣ ଅନୁପଙ୍କ ହୃଦ୍ଜନିତ ରୋଗ ଥିବା ସହ ନାର୍କୋ ଟେଷ୍ଟ କଲେ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ଥିବା ତାଙ୍କ ଓକିଲ ବିଜୟ ସରାଫ କହିବା ସହ କୋର୍ଟରେ ଅନୁପଙ୍କ ହେଲ୍ଥ ରିପୋର୍ଟ ଦେଖାଇଛନ୍ତି।
ପ୍ରକାଶ ଯୋଗ୍ୟ ଯେ, ଛତିଶଗଡ଼ର ହମିରପୁର ଜଙ୍ଗଲ ନିକଟରେ ୨୦୧୬ ମେ ୭ ତାରିଖରେ ହୋଇଥିବା କଳ୍ପନା ଦାସ ଓ ବବଲି ଦାସ (ମା, ଝିଅ) ହତ୍ୟାକାଣ୍ଡର ପ୍ରାୟ ୪ ବର୍ଷ ପରେ ଗତ ଶୁକ୍ରବାର ଛତିଶଗଡ଼ ପୁଲିସ ପର୍ଦ୍ଦାଫାସ କରିଥିଲା।