ଭାଇ ପାଇଁ ପରୀକ୍ଷା ଦେଉଥିଲା ଭଉଣୀ

ସମ୍ବଲପୁର,ଏନ୍ଏନ୍ଏସ୍ : ଓଡ଼ିଶା ମାଧ୍ୟମିକ ଶିକ୍ଷାବୋର୍ଡ ମାଟ୍ରିକ ପରୀକ୍ଷା ଆଜି ପ୍ରଥମ ଦିନରେ ସମ୍ବଲପୁର ଜିଲ୍ଲାରେ ସୁରୁଖୁରୁରେ ସମ୍ପନ୍ନ ହୋଇଥିବା ବେଳେ ସମ୍ବଲପୁର ସହରର କମିଶନର୍ସ କଲୋନୀ ହାଇସ୍କୁଲରେ ଚାଲିଥିବା ଓପନ ସ୍କୁଲ ପରୀକ୍ଷା କେନ୍ଦ୍ରରେ ଭାଇ ପାଇଁ ଭଉଣୀ ପରୀକ୍ଷା ଦେଉଥିବା ଧରାପଡ଼ିଛି।

ସୂଚନା ଅନୁଯାୟୀ, ଜିଲ୍ଲାର ମୋଟ ୭୧ଟି ପରୀକ୍ଷା କେନ୍ଦ୍ରରେ ବାର୍ଷିକ ମାଟ୍ରିକ ପରୀକ୍ଷା ହେଉଥିବାବେଳେ ଦୁଇଟି ଲେଖାଏଁ ସେଣ୍ଟରରେ ମଧ୍ୟମା ଏବଂ ଓପନ ସ୍କୁଲ ପରୀକ୍ଷା ହୋଇଛି। ଜିଲ୍ଲାରେ କରାଯାଇଥିବା ୮ଟି ନୋଡାଲ ସେଣ୍ଟରମାନଙ୍କରୁ ପୁଲିସ ସୁରକ୍ଷା ମଧ୍ୟରେ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପ୍ରଶ୍ନପତ୍ର ଯୋଗାଇ ଦିଆଯାଇଥିଲା। ପରୀକ୍ଷା କେନ୍ଦ୍ରରେ ମୋବାଇଲ ଫୋନ ବ୍ୟବହାରକୁ ସମ୍ପୂର୍ଣ୍ଣ ବାଦ ଦିଆଯାଇଥିଲା। ସମ୍ବଲପୁର ସହର ବୁଢ଼ାରଜା ହାଇସ୍କୁଲରେ ଡାକବାଜି ଯନ୍ତ୍ର ଯୋଗେ ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷାରେ କୌଣସି ପ୍ରକାର ଅସଦ ଉପାୟ ଅବଲମ୍ବନ ନ କରିବାକୁ ଅନୁରୋଧ କରାଯାଇଥିଲା। ଅପରପକ୍ଷେ ଆମ ଜିଲ୍ଲାରେ ୧୧ହଜାର ୯୦୫ ଜଣ ପରୀକ୍ଷାର୍ଥୀ ଥିବାବେଳେ ସେଥିରୁ ୧୧ ହଜାର ୬୫୭ଜଣ ପରୀକ୍ଷା ଦେଇଛନ୍ତି।