ଆସନ୍ତାକାଲି ଶପଥ ନେବେ କେଜ୍ରିୱାଲ

ନୂଆଦିଲ୍ଲୀ: ଆସନ୍ତାକାଲି (ରବିବାର) ଆମ୍ ଆଦମୀ ପାର୍ଟିର ନେତା ଅରବିନ୍ଦ କେଜ୍ରିୱାଲ୍ ତୃତୀୟ ଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାଗେ ଶପଥ ଗ୍ରହଣ କରିବେ। ରବିବାର ଦିନ ରାମଲୀଲା ମୈଦାନ ଠାରେ କେଜ୍ରିୱାଲ ୬ ଜଣ ମନ୍ତ୍ରୀଙ୍କ ସହ ଶପଥ ନେବେ । ତାଙ୍କ ସହ ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ୍, ଗୋପାଲ ରାୟ, କୈଲାସ ଗେହଲଟ୍, ଇମ୍ରାନ୍ ହୁସେନ୍ ଏବଂ ରାଜେନ୍ଦ୍ର ଗୌତମ ଶପଥ ନେବେ ।

ତେବେ ଏହି କାର୍ୟ୍ୟକ୍ରମ ପାଇଁ ଅନ୍ନା ହଜାରେଙ୍କୁ ନିମନ୍ତ୍ରଣ କରାଯାଇନଥିବା ସୂଚନା ମିଳିଛି । ପ୍ରଥମ ପାଳିର ସରକାର ବେଳେ କେଜ୍ରିୱାଲ୍ ତାଙ୍କ ଶପଥ ଗ୍ରହଣ ଉତ୍ସବକୁ ଅନ୍ନାଙ୍କୁ ନିମନ୍ତ୍ରଣ କରିଥିଲେ । କିନ୍ତୁ ଅନ୍ନା ଆସି ନଥିଲେ ।

ସୂଚନାଯୋଗ୍ୟ ଚଳିତ ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନରେ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି ମୋଟ ୭୦ଟି ଆସନରୁ ୬୨ଟି ଜିତିନେଇଛି । ଅନ୍ୟ ୮ଟି ଆସନ ବିଜେପି ପାଇଥିବା ବେଳେ କଂଗ୍ରେସ ପୂର୍ବଥର ପରି ଏଥର ମଧ୍ୟ “ଶୂନ’ ରେକର୍ଡ ବଜାୟ ରଖିଛି । ଗତ ୮ ତାରିଖରେ ଅନୁଷ୍ଠିତ ଏହି ନିର୍ବାଚନର ଫଳାଫଳ ୧୧ ତାରିଖରେ ଆସିଥିଲା ।