ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ନିର୍ଦ୍ଦେଶକ ଏକେ ଚୌହାନ ଶନିବାର ଅବସର ଗ୍ରହଣ କରିଛନ୍ତି। ତାଙ୍କ ପଦରେ ଏଟିଏସଇପିରଡିଜିଏମ ପି କରୁନାକରନଙ୍କୁ ଡାଇରେକ୍ଟର ଦାୟିତ୍ୱ ହସ୍ତାନ୍ତର କରାଯାଇଛି। ଅବସର ସମୟରେ ଶ୍ରୀ ଚୌହାନ କହିଛନ୍ତି ଯେ ୨୦୧୮ରେ ବିମାନ ବନ୍ଦର ଉଦ୍ଘାଟନ ହେବାପରେ ଏୟାର ଓଡ଼ିଶା ଏହାର ବିମାନ ଚଳାଚଳ ବନ୍ଦ କରି ଦେବାରୁ ଝାରସୁଗୁଡାବିମାନ ବନ୍ଦର କାର୍ଯ୍ୟକ୍ଷମ ହୋଇ ପାରିନଥିଲା। ସେହି ସମୟରେ ତତ୍କାଳୀନ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ଚେୟାରମ୍ୟାନ ଡ. ଗୁରୁପ୍ରସାଦ ମହାପାତ୍ର ତାଙ୍କୁ ଏଠାରୁ ବିମାନ ଚଳାଚଳ କରାଇବାର ଗୁରୁ ଦାୟିତ୍ୱ ଦେଇଥିଲେ।
ଝାରସୁଗୁଡା ବାସୀଙ୍କ ପରିଶ୍ରମ ଓ ଏଠାରୁ ବିମାନ ଚଳାଚଳ କରୁଥିବା ଏୟାରଲାଇନ୍ସର ସହଯୋଗ ପରେ ବିମାନ ସେବା ଚଳାଚଳ ସଫଳ ହୋଇଥିଲା। ବର୍ତ୍ତମାନ ଭୁବନେଶ୍ୱର, ରାୟପୁର, କୋଲକାତା, ହାଇଦ୍ରାବାଦ, ବାରଣାସୀକୁ ବିମାନ ଚଳାଚଳ ହେଉଥିବାବେଳେ ଆଗାମୀ ମାର୍ଚ୍ଚ ମାସରୁ ମୁମ୍ବାଇକୁ ବିମାନ ସେବା ଆରମ୍ଭ ହେବ। ଏଥିସହ ଆଗାମୀ ଦିନରେ ଝାରସୁଗୁଡାରୁ ଆହୁରି ଅନେକ ସ୍ଥାନକୁ ବିମାନ ସେବା ଯୋଗା ହେବା ସହ ଝାରସୁଗୁଡା ଏକ ବିଶ୍ୱସ୍ତରୀୟ ବିମାନବନ୍ଦର ହେଉ ବୋଲି ଶ୍ରୀ ଚୌହାନ କହିଛନ୍ତି।