ଗର୍ଭପାତର ସମୟସୀମା ୨୦ରୁ ୨୪ ସପ୍ତାହକୁ ବୃଦ୍ଧି

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର କ୍ୟାବିନେଟରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଗର୍ଭପାତର ସମୟସୀମା ୨୦ ସପ୍ତାହରୁ ୨୪ ସପ୍ତାହକୁ ବୃଦ୍ଧି କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ଏ ନେଇ ଗର୍ଭପାତ ଅଧିନିୟମ(ମେଡିକାଲ ଟର୍ମିନେଶନ ଅଫ୍‌ ପ୍ରେଗ୍‌ନାନ୍ସି ଆକ୍ଟ) ୧୯୭୧ରେ ସଂଶୋଧନ କରାଯିବ। ସଂସଦର ଆଗାମୀ ଅଧିବେଶନରେ ଏ ନେଇ ବିଲ୍‌ ଆଗତ କରାଯିବ ବୋଲି ଜଣାଯାଇଛି।

ବୈଠକ ପରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି ଯେ, ମନ୍ତ୍ରୀମଣ୍ଡଳ ଗର୍ଭପାତ କରାଇବାର ଅନୁମତି ପାଇଁ ସର୍ବାଧିକ ସମୟସୀମା ୨୦ ସପ୍ତାହରୁ ବୃଦ୍ଧି କରି ୨୪ ସପ୍ତାହ କରିବା ଲାଗି ମଞ୍ଜୁରୀ ଦେଇଛି। ୨୦ ସପ୍ତାହରେ ଗର୍ଭପାତ କରିବା ଫଳରେ ମା’ର ଜୀବନ ହାନୀ ହେଉଥିବା ନେଇ ଅନେକ ଘଟଣା ସାମ୍ନାକୁ ଆସିଛି। ୨୪ ସପ୍ତାହରେ ଗର୍ଭପାତ କରାଇବା ସୁରକ୍ଷିତ ବୋଲି ସେ କହିଛନ୍ତି।