ଆଇସିସି ବିଶ୍ୱକପ୍: ହାରିଲା ଅଷ୍ଟ୍ରେଲିଆ, ସେମିରେ ଭାରତ

ପୋଚେଫଷ୍ଟ୍ରୁମ୍: ଚଳିତ ୧୯ ବର୍ଷରୁ କମ୍ ଆଇସିସି ବିଶ୍ୱକପରେ ମଙ୍ଗଳବାର ଭାରତ ବିଜୟୀ ହୋଇ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛି। ଦଳ ଲିଗ୍ ପର୍ଯ୍ୟାୟରେ ଗ୍ରୁପ୍-ଏ’ରେ ଶୀର୍ଷରେ ରହିବା ପରେ ତା’ର ମୁକାବିଲା ପ୍ରଥମ କ୍ୱାର୍ଟର୍ରେ ଅଷ୍ଟ୍ରେଲିଆ ସହ ହୋଇଥିଲା। ଏହି ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ୍ ବିନିମୟରେ ୨୩୩ ରନ୍ କରିଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ୪୩.୩ ଓଭରରେ ମାତ୍ର ୧୫୯ ରନ୍ କରି ଅଲ୍ ଆଉଟ୍ ହୋଇଯିବା ଫଳରେ ଡିଫେଣ୍ଡିଙ୍ଗ୍ ଚାମ୍ପିଅନ୍ ଭାରତ ପ୍ରତିଯୋଗିତାରେ ତା’ର ଅପରାଜେୟ ଧାରା ବଜାୟ ରଖିଛି।

ଅଷ୍ଟ୍ରେଲିଆର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଦେଇଥିବା ଦ୍ରୁତ ବୋଲର୍ କାର୍ତ୍ତିକ ତ୍ୟାଗୀ ୪ଟି ୱିକେଟ୍ ନେଇ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ଭାରତ ପକ୍ଷରୁ ଓପନର ୟଶ ଜୈସ୍ୱାଲ୍ ତାଙ୍କର ଉନ୍ନତ ଫର୍ମ ଜାରି ରଖି ଆଉ ଏକ ଅର୍ଦ୍ଧଶତକ କରିଥିଲେ। ସେ ୮୨ ବଲ୍ ଖେଳି ୬ଟି ଚୌକା ଓ ୨ଟି ଛକା ସହ ୬୨ ରନ୍ କରିଥିବା ବେଳେ ମଧ୍ୟମକ୍ରମରେ ଅଧିନାୟକ ପ୍ରିୟମ୍ ଗର୍ଗଙ୍କ ସମେତ ୩ ଜଣ ବ୍ୟାଟ୍ସମ୍ୟାନ୍ ଫେଲ୍ ମାରିଥିଲେ। ଅନ୍ୟତମ ଓପନର ଦିବ୍ୟାଂଶ ସକ୍ସେନା ୧୪, ତିଲକ୍ ବର୍ମା ୨, ଗର୍ଗ ୫ ଓ ଧ୍ରୁବ ଜୁରେଲ୍ ୧୫ ରନ୍ କରିଥିଲେ। ତେବେ ଷଷ୍ଠ, ସପ୍ତମ ଓ ଅଷ୍ଟମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଯଥାକ୍ରମେ ସିଦେ୍ଧଶ ବୀର, ଅଥର୍ବ ଆଙ୍କୋଲେକର୍ ଓ ରବି ବିଷ୍ଣୋଇ ଉପଯୋଗୀ ଇନିଂସ ଖେଳିବା ଫଳରେ ଭାରତ ସମ୍ମାନଜନକ ସ୍କୋର୍ କରିଥିଲା।

ବୀର୍ ୨୫ ଓ ବିଷ୍ଣୋଇ ୩୦ ରନ୍ କରିଥିବା ବେଳେ ଆଙ୍କୋଲେକର୍ ୫ ଚୌକା ଓ ଗୋଟିଏ ଛକା ସହ ୫୫ ରନ୍ର ପ୍ରଶଂସନୀୟ ଇନିଂସ ଖେଳିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ କୋରି କେଲି ଓ ଟଡ୍ ମର୍ଫି ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ। ଜବାବରେ ଅଷ୍ଟ୍ରେଲିଆ ୧୭ ରନ୍ରେ ୪ଟି ୱିକେଟ୍ ହରାଇଥିଲା। ଓପନର ଜେକ୍ ଫ୍ରେଜର୍-ମ୍ୟାକ୍ଗୁର୍କ (୦), ଅଧିନାୟକ ମ୍ୟାକ୍କେଞ୍ଜି ହାର୍ଭେ (୪), ଲାଚ୍ଲାନ୍ ହିର୍ନି (୦ ଓ ଓଲିଭର୍ ଡେଭିଜ୍ (୨) ଶସ୍ତାରେ ଆଉଟ୍ ହୋଇଥିଲେ। ପଞ୍ଚମ ୱିକେଟ୍ ପାଇଁ ଅନ୍ୟତମ ଓପନର ସାମ୍ ଫାନିଙ୍ଗ୍ଙ୍କ ସହ ପାଟ୍ରିକ୍ ରୋୱେ ୫୧ ରନ୍ ଯୋଡ଼ିଥିଲେ।

ରୋୱେ ୨୧ ରନ୍ କରି ଆଉଟ୍ ହେବା ପରେ ଫାନିଙ୍ଗଙ୍କ ସହ ଲିଆମ୍ ସ୍କଟ୍ ୮୧ ରନ୍ ଯୋଡ଼ି ସାମାନ୍ୟ ଆଶା ସଞ୍ଚାର କରିଥିଲେ। ୨ଟି ଚୌକା ଓ ଗୋଟିଏ ଛକା ସହ ୩୫ ରନ୍ କରିଥିବା ସ୍କଟ୍ଙ୍କୁ ଆଉଟ୍ କରି ରବି ବିଷ୍ଣୋଇ ତାଙ୍କର ପ୍ରଥମ ୱିକେଟ୍ ନେଇଥିଲେ। ପରେ ୭ ଚୌକା ଓ ୩ଟି ଛକା ସହ ୭୫ ରନ୍ କରି ଫାନିଙ୍ଗ୍ ଆଉଟ୍ ହେବା ପରେ ଭାରତ ବିଜୟ ନିଶ୍ଚିତ ହୋଇଥିଲା। ଭାରତ ପକ୍ଷରୁ ତ୍ୟାଗୀଙ୍କ ବ୍ୟତୀତ ଆକାଶ ସିଂହ ୩ଟି ୱିକେଟ୍ ନେଇଥିଲେ।