ମହଙ୍ଗା ପଡିଲା ଦେଶ ବିରୋଧୀ ମନ୍ତବ୍ୟ: ଜେଏନୟୁ ଛାତ୍ର ଗିରଫ

ପାଟନା,ଏନ୍ଏନ୍ଏସ୍: ସିଏଏ ଓ ଏନଆରସିକୁ ନେଇ ବିରୋଧୀ ମନ୍ତବ୍ୟ ଦେବା ମହଂଗା ପଡିଛି। ଉକ୍ତ ପ୍ରଦର୍ଶନର ସଂଯୋଜକ ଜେଏନୟୁ ଛାତ୍ର ଶରଜୀଲ ଇମାମକୁ ଦିଲ୍ଲୀ ପୁଲିସ ଗିରଫ କରିଛି। ଶରଜୀଲକୁ ବିହାରର ଜେହାନାବାଦରୁ ଦିଲ୍ଲୀ ପୁଲିସ ଗିରଫ କରିଥିବା ଜଣାପଡିଛି। ଏହା ପୂର୍ବରୁ ପୁଲିସ ମଙ୍ଗଳବାର ଶରଜୀଲକୁ ଗିରଫ କରିବା ପାଇଁ ତାର ଘରେ ଚଢଉ କରିଥିଲା। କିନ୍ତୁ ସେଠାରେ ଶରଜୀଲକୁ ନପାଇ ପୁଲିସ ତାର ଭାଇକୁ ଉଠାଇ ଆଣିଥିଲା। ଏହାପ‌ରେ ଦିଲ୍ଲୀ ପୁଲିସ ଶରଜୀଲକୁ ଗିରଫ କରିବା ପାଇଁ ମୁମ୍ବଇ, ପାଟଣା ଏବଂ ଦିଲ୍ଲୀରେ ଚଢଉ କରିଥିଲା।

ସୂଚନାଯୋଗ୍ୟ ଶରଜୀଲ ଦିଲ୍ଲୀର ସାହିନ ବାଗରେ ନାଗରିକତ୍ୱ ସଂଶୋଧନ ଆଇନ ଓ ଏନଆରସିକୁ ନେଇ ବିରୋଧ ପ୍ରଦର୍ଶନର ସମୟରେ ଦେଶ ବିରୋଧୀ ମନ୍ତବ୍ୟ ଦେଇଥିଲେ। ଏହା ଛଡା ଶରଜୀଲ ଅଲିଗଡ ମୁସଲିମ୍ ବିଶ୍ୱବିଦ୍ୟାଳୟରେ ଏକ କାର୍ୟ୍ୟକ୍ରମରେ ଭାଗ ନେଇ ଆସାମକୁ ଭାରତରୁ ଅଲଗା କରିବା ଭଳି ଉତ୍ତେଜନାମୂଳକ ଭାଷଣ ଦେଇଥିଲେ । ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଶରିଜଲଙ୍କ ଏଭଳି ମନ୍ତବ୍ୟକୁ ଆଧାର କରି ଦିଲ୍ଲୀ ପୁଲିସ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଥିଲା ।