କେନ୍ଦୁଝର ଜିଲ୍ଲାରେ ବାଇକ ଆମ୍ବୁଲାନ୍ସ ସେବା ଉଦ୍‌ଘାଟିତ, ଦୁର୍ଗମ ଅଞ୍ଚଳକୁ ପହଞ୍ଚିବ ଆମ୍ବୁଲାନ୍ସ ସେବା

କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲାରେ ଅନେକ ସମୟରେ ରାସ୍ତା ଅଣ ଓସାରିଆ ଓ ଖରାପ ହୋଇଥିବାରୁ ଆମ୍ବୁଲାନ୍ସ ସେଠାରେ ପହଞ୍ଚି ପାରୁନାହିଁ। ଫଳରେ ଗର୍ଭବତୀ ମହିଳା ଓ ରୋଗୀ ମାନେ ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ହୋଇ କେଉଁଠି ମହିଳା ରାସ୍ତା କଡ଼ରେ ପ୍ରସବ କରୁଛି ତ କେଉଁଠି ରୋଗୀର ପ୍ରାଣ ଯାଉଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦୁଝର ଅଞ୍ଚଳରେ ତୁରନ୍ତ ଆମ୍ବୁଲାନ୍ସପାଇଁ ବାଇକ ଆମ୍ବୁଲାନ୍ସ ଉଦ୍‌ଘାଟିତ ହୋଇଛି। ଯୋଜନା ସମନ୍ୱୟ, ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ପଦ୍ମନାଭ ବେହେରା ୭୧ତମ ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ କରିବା ପରେ ବାଇକ ଆମ୍ବୁଲାନ୍ସ ସେବାକୁ ଉଦ୍‌ଘାଟନ କରିଥିଲେ।

ଓମବାଡସି ଓ ସମ୍ପୂର୍ଣ୍ଣା ଯୋଜନାରେ ୧୨ଲକ୍ଷ ଟଙ୍କା ବ୍ୟୟରେ ପ୍ରଥମ ଦଫାରେ ୬ଟି ବାଇକ ଆମ୍ବୁଲାନ୍ସ କିଣାଯାଇଛି। ଦୁର୍ଗମ ଅଞ୍ଚଳରେ ଆମ୍ବୁଲାନ୍ସ ସେବା ଯୋଗାଇବା ବାଇକ ଆମ୍ବୁଲାନ୍ସର ମୂଳ ଲକ୍ଷ୍ୟ। ପ୍ରଥମ ଦଫାର ଏହି ୬ଟି ବାଇକ ଆମ୍ବୁଲାନ୍ସ ମଧ୍ୟରୁ ୨ଟି ତେଲକୋଇ ବ୍ଲକ୍‌, ୨ଟି ବାଂଶପାଳ ବ୍ଲକ ଓ ହରିଚନ୍ଦନପୁର ବ୍ଲକରେ ୨ଟି ରହିବ। ଏଥିସହ ସ୍ଥାନୀୟ ଯୁବକମାନଙ୍କୁ ପ୍ରଶିକ୍ଷଣ ଦେଇ ବାଇକ ଆମ୍ବୁଲାନ୍ସରେ ନିଯୁକ୍ତି ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। ୧୦୨ ଓ ୧୦୮ ଆମ୍ବୁଲାନ୍ସ ସେବା ଭଳି ବାଇକ ଆମ୍ବୁଲାନ୍ସ ପାଇଁ ସ୍ୱତନ୍ତ୍ର ଟୋଲ ଫ୍ରି ନମ୍ବରର ବ୍ୟବସ୍ଥା ରହିଛି। ଏହି ସେବା ଉଦ୍‌ଘାଟନ ସମୟରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ, ଏସପି ମିତ୍ରଭାନୁ ମହାପାତ୍ର, ସିଡିଏମଓ ଡ. ଅଶୋକଦାଶ ପ୍ରମୁଖ ଉପସ୍ଥିତ ଥିଲେ।