ଓରକେଲ ପୋଲିସ ଦ୍ୱାରା ୧୬ କ୍ୱିଣ୍ଟାଲ ଗଂଜେଇ ଜବତ

କୋରୁକୋଣ୍ଡା,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲା ଓରକେଲ ଥାନା କୁ ମିଳିଛି ଏକ ବଡ ସଫଳତା। ବିଶେଷ ସୂତ୍ରରୁ ଖବର ପାଇ ଚିତ୍ରକୋଣ୍ଡା ଏସଡିପିଓ ସୁନାରାମ ହେମ୍ବ୍ରମଙ୍କ ନିର୍ଦ୍ଦେଶକ୍ରମେ ଥାନାଧିକାରୀ ଜଗଦୀଶ ବାରା ୧୨ ଜଣିଆ ଟିମ ଗଠନ କରି ସୋରଲୁକୋଣ୍ଡା ଠାରୁ ଏମଭି ୫୧ ମୁଖ୍ୟ ରାସ୍ତାରେ ଜଗି ରହିଥିଲେ। ରାତି ପ୍ରାୟ ୧୧ ଟା ପରେ ପାଖାପାଖି ୪୩ ଜଣ କାଉଡ଼ିଆ ଭାରରେ ଗଂଜେଇ ବୋହି ନେଉଥିବା ଦେଖିଥିଲେ। ତେବେ ସେମାନଙ୍କୁ ଅଟକାଇବାରୁ ସମସ୍ତେ ନିଜ ଗଂଜେଇ କାଉଡିକୁ ଛାଡି ଲୁଚି ପଳାଇବାକୁ ଉଦ୍ୟମ କରିଥିଲେ ସେଥିମଧ୍ୟରୁ ପୋଲିସ ମାତ୍ର ୧୧ ଜଣ କାଉଡ଼ିଆଙ୍କୁ ଧରିବାରେ ସଫଳ ହୋଇଛି। ତେବେ ଆଉ ୩୨ ଜଣ ଲୁଚି ପଳାଇଥିବା ପୋଲିସ ସୂଚନା ଦେଇଛି।

୮୪ ଟି ବସ୍ତାରେ ୧୬୯୨ କିଲୋ ୬୦୦ ଗ୍ରାମ ଗଂଜେଇ ଥିବା ପୋଲିସ ସୂଚନା ଦେଇଛି। ଉକ୍ତ ଗଂଜେଇର ଆନୁମାନିକ ମୂଲ୍ୟ ୩୪ ଲକ୍ଷ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଜବତ ଗଂଜେଇ ଚିତ୍ରକୋଣ୍ଡା ଅଞ୍ଚଳର ପୁରୁଣାପାଣି ଠାରୁ କୋଟପାଡ଼କୁ ନିଆଯାଉଥିବା ତଦନ୍ତକାରୀ ଅଧିକାରୀ କୃଷ୍ଣା କୁମାରୀ ପ୍ରଧାନ ସୂଚନା ଦେଇଛନ୍ତି। ଗିରଫ କରାଯାଇଥିବା ଗଂଜେଇ କାଉଡ଼ିଆମାନେ ହେଲେ ଶ୍ରୀଧର ହରିଜନ, ହରିରାମ ଗଣ୍ଡ, ସଦାଶିବ ହରିଜନ, ଧନୁର୍ଜୟ ସାକ୍ରା, ପଦ୍ମନ ହରିଜନ, ମନବୋଲା ରନ୍ଧାରୀ, ସୋମନାଥ ଅ ମୈତ୍, ବଳରାମ ଗୌଡ଼, ବୁଟି ଅମୈତ, ପଦ୍ମନାଭ କୋଡ଼ି ଏବଂ ମଙ୍ଗଳା ଦିସାରି। ତେବେ ଏମାନଙ୍କ ମଧ୍ୟରୁ କିଛି ପଡୋଶୀ ରାଜ୍ୟ ଛତିଶଗଡ଼ ର ଜଗଦଲପୁର ର ହୋଇଥିବା ବେଳେ ଅନ୍ୟମାନେ କୋରାପୁଟ ଏବଂ ନବରଙ୍ଗପୁର ଥିବା ପୋଲିସ ସୂଚନା ଦେଇଛି। ଥାନାରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଓରକେଲ ଥାନାଧିକାରୀ ଜଗଦୀଶ ବାରା ସୂଚନା ଦେଇଛନ୍ତି।