ଜଳେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱର ଜିଲ୍ଲାର ଜଳେଶ୍ୱରରେ ସଡ଼କ ଦୁର୍ଘଟଣାରେ ୭ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି ଜଳେଶ୍ୱର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ସ୍ଥିତ ୧୬ନମ୍ବର ଜାତୀୟ ରାଜପଥର ନନ୍ଦିକାଠାରେ ଏକ ଟୁରିଷ୍ଟ ବସ୍ ଏକ ଗୋରୁ ବୋଝେଇ ଭ୍ୟାନକୁ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା। ଭ୍ୟାନ୍ ପିଟି ହୋଇଥିଲା। ଦୁର୍ଘଟଣାରେ ବସ୍ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୭ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତମାନଙ୍କୁ ଚିକିତ୍ସା ଲାଗି ଜଳେଶ୍ୱର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ଅନୁରୂପଭାବେ ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଅଞ୍ଚଳର ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ମେଘା ପେଟ୍ରୋଲ୍ ପମ୍ପ୍ ନିକଟରେ ଏକ ତୀର୍ଥଯାତ୍ରୀ ବସ୍ ଗୋଟାଏ ଟ୍ରକ୍ ସହ ଧକ୍କା ଖାଇବାରୁ ଅନ୍ୟୂନ ୩୦ ଜଣ ଯାତ୍ରୀ ଆହତ ହୋଇଥିଲେ। ଏହି ଦୁର୍ଘଟଣାର ୨୪ ଘଣ୍ଟା ନ ପୁରୁଣୁ ପୁଣି ଆଉ ଗୋଟିଏ ଦୁର୍ଘଟଣା ଘଟିବାକୁ ନେଇ ଲୋକଙ୍କ ମନରେ ଅଶାନ୍ତି ସୃଷ୍ଟି ହୋଇଛି। ବାଲେଶ୍ୱର ଜିଲ୍ଲାରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଏହା ଏବେ ଚିନ୍ତାର ବିଷୟ ହୋଇଛି।