ନୂଆଦିଲ୍ଲୀ,ଏଜେନ୍ସି: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଶାସନ ସମୟରେ ଆହ୍ଲାବାଦ୍ର ନାମ ପରିବର୍ତ୍ତନ କରାଯାଇ ପ୍ରୟାଗରାଜ ଭାବେ ନାମିତ କରାଯାଇଛି। ଏନେଇ ସୋମବାର ଯୋଗୀ ସରକାରଙ୍କୁ ସୁପ୍ରିମ୍କୋର୍ଟଙ୍କ ପକ୍ଷରୁ ନୋଟିସ୍ ଜାରି ହୋଇଛି। ନାମ ପରିବର୍ତ୍ତନ ବିରୋଧରେ ଦାଖଲ ହୋଇଥିବା ଏକ ଜନସ୍ୱାର୍ଥ ମାମଲାର ବିଚାର କରି ଅଦାଲତ ପକ୍ଷରୁ ଏପରି କରାଯାଇଛି। ଆହ୍ଲାବାଦ୍ ହେରିଟେଜ୍ ସୋସାଇଟି ପକ୍ଷରୁ ଏହି ମାମଲା ଦାଏର କରାଯାଇଛି। ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେ ଏବଂ ବିଚାରପତି ବି.ଆର୍. ଗୋବଇଙ୍କ ଦ୍ୱାରା ଗଠିତ ୨ ଜଣିଆ ଖଣ୍ଡପୀଠ ଏନେଇ ଯୋଗୀ ସରକାରଙ୍କ ଠାରୁ ଜବାବ ଲୋଡ଼ିଛନ୍ତି।
ଆବେଦନକାରୀ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିୟନ୍ତ୍ରଣ କରାଯାଉଥିବାରୁ ରାଜ୍ୟ ସରକାର ରେଳ ଷ୍ଟେସନ୍, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନଗୁଡ଼ିକର ନାମ ପରିବର୍ତ୍ତନ କରି ପାରିବେ ନାହିଁ। ୫୦୦ ବର୍ଷ ପୂର୍ବେ ମୋଗଲ ସମ୍ରାଟ ଆକବର କରିଥିବା ତ୍ରୁଟିକୁ ବିଜେପି ସଂଶୋଧନ କରୁଛି କହି ଉତ୍ତରପ୍ରଦେଶ ସରକାର ଐତିହାସିକ ସହର ଆହ୍ଲାବାଦର ନାମ ବଦଳାଇ ପ୍ରୟାଗରାଜ କରିଛନ୍ତି।