ନୂଆଦିଲ୍ଲୀ,ଏଜେନ୍ସି: ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଆସନ୍ତା ୨୨ତାରିଖ ସକାଳ ୭ଟାରେ ଫାଶୀ ଦିଆଯାବା ପାଇଁ ନିଷ୍ପତ୍ତି ହୋଇସାରିଥିବା ବେଳେ ଏ ନେଇ ତିହାର ଜେଲରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଦୋଷୀମାନଙ୍କ ଡମି ପ୍ରସ୍ତୁତ କରାଯାଇ ପରୀକ୍ଷାମୂଳକ ଫାଶୀ ଦିଆଯାଉଛି। ଏଥିପାଇଁ ଦଉଡି, ଫାଶ ଇତ୍ୟାଦିର ମାପ ପ୍ରସ୍ତୁତ ହୋଇସାରିଛି। ଦୋଷୀଙ୍କ ଓଜନ ଅନୁସାରେ ସେମାନଙ୍କ ନକଲ(ଡମି) ପ୍ରସ୍ତୁତ କରାଯାଇ ସେମାନଙ୍କୁ ପରୀକ୍ଷାମୂଳକ ଫାଶୀ ଦିଆଯାଇଛି ।
ବଡ ଅଖାରେ କାଦୁଆ ମାଟି ଭର୍ତ୍ତି କରି ପ୍ରତ୍ୟେକ ଦୋଷୀଙ୍କର ଡମି ତିଆରି କରାଯାଇ ଫାଶୀ ଦିଆଯାଇଛି। ଜେଲ୍ କର୍ମଚାରୀମାନେ ଏହି ଅଭ୍ୟାସରେ ସାମିଲ ହୋଇଥିଲେ। ଉତ୍ତରପ୍ରଦେଶର ମିରଟ ଜେଲ୍ରୁ ଘାତକ ପବନ ଜହ୍ଲାଦଙ୍କୁ ଏଥିପାଇଁ ଡକାଯାଇଥିଲେ ମଧ୍ୟ ଏହି ଅଭ୍ୟାସବେଳେ ସେ ଉପସ୍ଥିତ ନ ଥିଲେ। ଆଗକୁ ପୁନର୍ବାର ଏଭଳି ଅଭ୍ୟାସ ହେବ ଓ ଏଥିରେ ପବନ ଜହ୍ଲାଦ ଅଂଶଗ୍ରହଣ କରିବେ ବୋଲି ସୂଚନା ମିଳିଛି।