ୟୁକ୍ରେନ୍ ବିମାନ ଧ୍ୱଂସ ପାଇବା ପଛରେ ଇରାନକୁ ଦାୟୀ କଲା କାନାଡା

ଓଟ୍ଟାୱା,ଏଜେନ୍ସି : ତେହେରାନରୁ ୟୁକ୍ରେନ୍ ବିମାନ ଉଡ଼ାଣ ଆରମ୍ଭ କରିବା ମାତ୍ରେ ଇରାନ୍ ମିଶାଇଲ୍ ମାଡ଼ କରି ତାକୁ ଧ୍ୱଂସ କରିଦେଇଛି ବୋଲି କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡେୟୁ ଅଭିଯୋଗ କରିଛନ୍ତି। ବିମାନ ଦୁର୍ଘଟଣାରେ ମୃତ ୧୭୬ ଯାତ୍ରୀଙ୍କ ମଧ୍ୟରେ କାନାଡ଼ାର ୬୩ ଜଣ ଅଛନ୍ତି। ବିଭିନ୍ନ ଗୁପ୍ତଚର ସଂସ୍ଥା ସୂତ୍ରରୁ ସଂଗୃହୀତ ତଥ୍ୟକୁ ଆଧାର କରି ଟ୍ରୁଡେୟୁ ଏହି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସୋସିଆଲ୍ ମିଡିଆରେ ପ୍ରସାରିତ ଭିଡିଓ ଫୁଟେଜରୁ ବିମାନ ଦୁର୍ଘଟଣା ପଛରେ ଇରାନକୁ ଦାୟୀ କରାଯାଇଛି।

ବିମାନଟି ଉଡ଼ାଣ ଆରମ୍ଭ କରିବାର କେଇ ସେକେଣ୍ଡ ମଧ୍ୟରେ ବିସ୍ଫୋରଣର ଶିକାର ହୋଇ ଭୂପୃଷ୍ଠକୁ ଖସି ପଡ଼ିଥିଲା। କାନାଡ଼ା ଗୁପ୍ତଚର ସଂସ୍ଥା ରିପୋର୍ଟ ପ୍ରତି ଗଭୀର ଆସ୍ଥା ପ୍ରକଟ କରି ପ୍ରଧାନମନ୍ତ୍ରୀ ଟ୍ରୁଡେୟୁ କହିଛନ୍ତି ଯେ ଇରାନ୍ ଭୂପୃଷ୍ଠରୁ ଆକାଶକୁ ଭେଦ କରିପାରୁଥିବା ମିଶାଇଲ୍ ବ୍ୟବହାର କରି ୟୁକ୍ରେନ୍ ବିମାନକୁ ଖସାଇଛି। ସେ ଇରାନର ଉଦ୍ଦେଶ୍ୟମୂଳକ ଆକ୍ରମଣକୁ ଅସ୍ୱୀକାର କରିଥିଲେ ମଧ୍ୟ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବାକୁ ଚାହିଁଛନ୍ତି। ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ମିଶାଇଲ୍ ମାଡ଼ରେ ବିମାନ ଧ୍ୱଂସ ପାଇଥିବା ଘଟଣାକୁ ସ୍ୱୀକାର କରିଛନ୍ତି। କେବଳ ବ୍ରିଟେନ୍ ନୁହେଁ, ବହୁ ପାଶ୍ଚାତ୍ୟ ଦେଶ ଇରାନ୍ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି।

ୟୁକ୍ରେନ୍ ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ଖବର ପାଇବାମାତ୍ରେ ସର୍ବପ୍ରଥମେ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତିକ୍ରିୟାରେ କହିଥିଲେ ଯେ ଇରାନର ଏକାଧିକ ମିଶାଇଲ୍ ମାଡ଼ରେ ଏଭଳି କୁପରିଣାମ ଘଟିଛି। ଆମେରିକାର ଜାତୀୟ ପରିବହନ ନିରାପତ୍ତା ବୋର୍ଡ ରିପୋର୍ଟରେ ଇରାନକୁ ଦାୟୀ କରାଯାଇଛି। ବିମାନ ଦୁର୍ଘଟଣାର ଆନ୍ତର୍ଜାତିକ ତଦନ୍ତ କରାଯିବା ଜରୁରି ବୋଲି ଉକ୍ତ ସଂସ୍ଥା ଗୁରୁତ୍ୱାରୋପ କରିଛି। ବିମାନ ଦୁର୍ଘଟଣାର ତଦନ୍ତ କରିବା ପାଇଁ ଆମେରିକାର ବୋଇଂ କର୍ତ୍ତୃପକ୍ଷଙ୍କୁ ଇରାନର ବୈଦେଶିକ ମନ୍ତ୍ରଣାଳୟ ଆମନ୍ତ୍ରଣ କରିଛି।

ଇରାନ୍ ବେସାମରିକ ବିମାନ ସଂସ୍ଥା ସୂଚନା ମୁତାବକ ବିମାନର ପାଇଲଟଙ୍କଠାରୁ କୌଣସି ରେଡିଓ ବାର୍ତ୍ତା ମିଳିବା ପୂର୍ବରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇସାରିଥିଲା। ଦୁର୍ଘଟଣାଗ୍ରସ୍ତ ବିମାନରେ ୮୨ ଇରାନିଆନ୍, ୬୩ କାନାଡ଼ିଆନ୍, ୧୧ ୟୁକ୍ରେନିଆନ୍, ୧୦ ସ୍ୱିଡିସ୍, ୪ ଆଫଗାନ୍, ୩ ଜର୍ମାନସ ଓ ୩ ଜଣ ବ୍ରିଟନ୍ସ ଥିଲେ। ଇରାକରେ ଠୁଳ ଆମେରିକା ସୈନିକଙ୍କ ଉଦ୍ଦେଶ୍ୟରେ ତେହେରାନ୍ ବାଲିଷ୍ଟିକ୍ ମିଶାଇଲ୍ ଛାଡ଼ିବାର କିଛି ମିନିଟ୍ ପରେ ୟୁକ୍ରେନ୍ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଆନ୍ତର୍ଜାତିକ ସ୍ତରକୁ କଡ଼ା ଜବାବ୍ ଦେବାକୁ ଯାଇ ଇରାନ୍ କହିଛି ଯେ ଅତୀତରେ ବହୁ ଦେଶ ଘଟଣାଚକ୍ରରେ ପଡ଼ି ନିଜ ବିମାନକୁ ଜାଣିଶୁଣି ଦୁର୍ଘଟଣାରେ ପକାଇଛନ୍ତି। କାନାଡ଼ା ପ୍ରଧାନମନ୍ତ୍ରୀ ଟ୍ରୁଡେୟୁଙ୍କ ମତରେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ଇରାନ ଠାରୁ ଉତ୍ତର ଚାହିଁଛନ୍ତି। ପ୍ରକୃତ ସତ୍ୟ ନଜାଣିବା ପର୍ଯ୍ୟନ୍ତ କାନାଡ଼ା ନିରବରେ ବସିବ ନାହିଁ।