ଝିଅକୁ ପ୍ରେମିକ ସଂଗେ ଯିବାକୁ ବାରଣ କଲା ମା’ ଆଉ ତା’ପରେ

ରାଉରକେଲା,ଏନ୍ଏନ୍ଏସ୍: ନିଜ ନାବାଳିକା ଝିଅକୁ ପ୍ରେମିକ ସଙ୍ଗେ ଯିବାକୁ ବାରଣ କରିବା ଓ ସେ ନ ମାନିବାରୁ ଚଳନ୍ତା ଟ୍ରେନ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଘଟଣାର ସୂଚନା ମିଳିଛି। ରେଳବାଇ ପୁଲିସ ଉକ୍ତ ମହିଳାଙ୍କୁ ଉଦ୍ଧାର କରିଛନ୍ତି।

ସୂଚନାଅନୁଯାୟୀ, ସେକ୍ଟର-୬ ଅଂଚଳରେ ଚମ୍ପା ବତିଆ ନିଜ ନାବାଳିକା ଝି ସହ ରୁହନ୍ତି। କିଛିଦିନ ପୂର୍ବେ ତାଙ୍କ ଝିଅ ପ୍ରେମିକ ସଂଗେ କୌଣସି ଆଡ଼େ ଫେରାର ହୋଇଯାଇଥିଲେ। ଏ ନେଇ ସେକ୍ଟର-୭ ଥାନାରେ ଏତଲା ଦେଇଥିଲେ ଚମ୍ପା। ମାମଲାର ଅନୁସନ୍ଧାନ ହୋଇ ନ ଥିବା ବେଳେ ଆଜି ନାବାଳିକା ଝିଅ ପୁଣି ରାଉରକେଲା ଆସିଥିଲା। ମାଆ ଚମ୍ପା ଏ ସମ୍ପର୍କରେ ଜାଣି ରାଉରକେଲା ଷ୍ଟେସନ ଆସିଥିଲେ।

ସେଠାରେ ନାବାଳିକା ଝିଅକୁ ତାଙ୍କ ପ୍ରେମିକ ସହ ଯିବାକୁ ବାରଣ କରିଥିଲେ। ମାତ୍ର ଏହି କଥା ନ ମାନିବାରୁ ଚମ୍ପା ମର୍ମାହିତ ହୋଇ ବନ୍ଧମୁଣ୍ଡା ପଟୁ ଆସୁଥିବା ସାଉଥବିହାର ଚଳନ୍ତା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଘଟଣା ସମୟରେ ଜଣେ ରେଳବାଇ କର୍ମଚାରୀ ଉପସ୍ଥିତି ବୁଦ୍ଧି ଖଟାଇ ଚମ୍ପାଙ୍କୁ ଟାଣିଆଣି ପ୍ରାଣ ବଂଚାଇଥିଲେ। ପରେ ରେଳବାଇ ପୁଲିସ ଉକ୍ତ ନାବାଳିକା ଓ ଚମ୍ପାଙ୍କୁ ସେକ୍ଟର-୭ ଥାନାକୁ ହସ୍ତାନ୍ତର କରିଥିଲେ।