ପ୍ରଦୀପ ମାଝୀଙ୍କ ନାମରେ ଥାନାରେ ଏତଲା, ପୁଲିସ ପକ୍ଷରୁ ମାମଲା ରୁଜୁ

ଭୁବନେଶ୍ୱର,ଏନ୍ଏନ୍ଏସ୍: କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ନାମରେ ଥାନାରେ ଏତଲା। ହିଂସାକୁ ଉତ୍ତେଜିତ କରୁଥିବା ନେଇ ପୁଲିସ ନିଜେ ପ୍ରଦୀପ ମାଝୀଙ୍କ ନାମରେ ମାମଲା ରୁଜୁ କରିଛି। ପ୍ରଦୀପ ମାଝୀଙ୍କ ସମେତ ମୋଟ୍ ୧୫ ଜଣଙ୍କ ନାମରେ ପୁଲିସ ଏତଲା କରିଛି। ଏତଲା ପରେ ମାମଲା ରୁଜୁ କରି ପୁଲିସ ଛାନଭିନ୍ ଆରମ୍ଭ କରିଛି। ଏହି ପରିପ୍ରେକ୍ଷୀରେ ଦଫା ୧୪୭, ୩୪୧, ୩୫୩, ୨୮୩, ୫୦୬, ୪୩୮ରେ ପ୍ରଦୀପ ମାଝୀଙ୍କ ନାମରେ ମାମଲା ରୁଜୁ ହୋଇଛି। ସେହିପରି ଦଫା ୧୨୦(ଖ) ଏବଂ ୩ ପିଡିପିପି ଦଫାରେ ପ୍ରଦୀପଙ୍କ ନାମରେ ମାମଲା ରୁଜୁ ହୋଇଛି। ଏହି ଘଟଣାରେ ଆଉ ଅଧିକ ଲୋକଙ୍କ ନାମରେ ମାମଲା ରୁଜୁ ହୋଇ ପାରେ ବୋଲି ପୁଲିସ ସୂଚନା ଦେଇଛି।

ସୂଚନାଯୋଗ୍ୟ ଯେ ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା ବ୍ଲକ୍ ଅଞ୍ଚଳର ଜଣେ ନାବାଳିକାକୁ ଗଣବଳାତ୍କାର ଓ ହତ୍ୟା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ପୁଲିସ ବିଫଳତା ପ୍ରତିବାଦରେ ଗୁରୁବାର କଂଗ୍ରେସ ୧୨ଘଣ୍ଟିଆ ଜିଲ୍ଲା ବନ୍ଦ ପାଳନ କରିଥିଲା। ବନ୍ଦପାଳନ ବେଳେ ଗୋଟିଏ କାର୍‍କୁ ଆନ୍ଦୋଳନକାରୀ ଜାଳି ଦେଇଥିଲେ। ପ୍ରଦୀପ ମାଝିଙ୍କ ଇସାରାରେ ଗାଡି ଜଳାଯାଇଥିବା ଅଭିଯୋଗ ହୋଇଥିଲା। ବନ୍ଦ ଡାକାରା ବେଳେ ପ୍ରଦୀପ ମାଝୀଙ୍କ ଏକ ବିବାଦୀୟ ଭିଡିଓ ଏକ ଭିଡିଓ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ପେଟ୍ରୋଲ ଡିଜେଲ ରେଡି ରଖ, କହିଲେ ଜାଳିବ ବୋଲି ଫୋନ୍ ମାଧ୍ୟମରେ ନିଜ କର୍ମୀଙ୍କୁ ପ୍ରଦୀପ ମାଝୀ କହିଥିଲେ। ଏହି ଭିଡିଓ ଘୂରି ବୁଲିବା ପରେ ପ୍ରଦୀପ ମାଝୀ ହିଂସାକୁ ଉସୁକାଉଛନ୍ତି ବୋଲି ଅଭିଯୋଗ ହୋଇଥିଲା।

ଏ ନେଇ ପ୍ରଦୀପ ମାଝୀଙ୍କୁ ପଚାରିବାରେ ସେ ଏଭଳି କୌଣସି ଘଟଣାରେ ସମ୍ପୃକ୍ତ ନଥିବା ସୂଚନା ଦେଇଛନ୍ତି। ଏଥିସହ ସେ ପୁଲିସର ତଦନ୍ତର ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି। ଏଥିସହ ସେ ଏହା ଏକ ରାଜନୈତିକ ଷଡ଼ଯନ୍ତ୍ର ବୋଲି କହିଛନ୍ତି।