ପୋଷ୍ଟର ମାରି ଦଙ୍ଗାକାରୀଙ୍କ ଚିହ୍ନଟ କରୁଛି ପୁଲିସ, ବର୍ତ୍ତମାନ ପର୍ଯ୍ୟନ୍ତ ୨୦ ଗିରଫ

ଲକ୍ଷ୍ନୌ,ଏଜେନ୍ସି: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଉତ୍ତରପ୍ରଦେଶରେ ଦଙ୍ଗା କରୁଥିବା ଲୋକମାନଙ୍କୁ ପୁଲିସ ଚିହ୍ନଟ କରିବା ପାଇଁ ସେମାନଙ୍କ ପୋଷ୍ଟର ଏବଂ ବ୍ୟାନର ଛକମାନଙ୍କରେ ଲଗାଇଛି। ଏହି ପରିପ୍ରେକ୍ଷୀରେ ପୁଲିସ ରବିବାର ଗାଜିଆବାଦ ଅଞ୍ଚଳରେ ୨୭ ଜଣ ଦଙ୍ଗାକାରୀଙ୍କୁ ଗିରଫ କରିଛି। ଏହି ଦଙ୍ଗାକାରୀମାନଙ୍କୁ ଗିରଫ କରିବା ପାଇଁ ପୁଲିସ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ତଲାସି କରୁଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ଗାଜିଆବାଦ ଜିଲ୍ଲାରେ ରବିବାର ପୁଲିସ ଗିରଫ କରିଥିବା ୨୭ ଜଣଙ୍କ ମଧ୍ୟରୁ ୨୩ ଜଣଙ୍କୁ ଜେଲ୍ ପଠାଇଦିଆଯାଇଛି। ଏ ନେଇ ଏସଏସପି ସୁଧୀର କୁମାର ସିଂହ କହିଛନ୍ତି ଯେ, ଲୋନୀ ବର୍ଡର ଏବଂ ଲୋନୀ ଥାନାର ସଂଯୁକ୍ତ ଟିମ୍ ଉପଦ୍ରବକାରୀଙ୍କୁ ଚିହ୍ନଟ କରି ଗିରଫ କରୁଛି। ଧରା ହୋଇଥିବା ସମସ୍ତ ବିଦ୍ରୋହୀ ଲୋନୀ ଅଞ୍ଚଳର। ତେବେ ବର୍ତ୍ତମାନ ସୁଦ୍ଧା ଲୋନୀରେ ୨୦ ଜଣଙ୍କୁ ଗିରଫ କରାଗଲାଣି।

ସେହିପରି ଭାବରେ ମୁରାଦନଗର ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସମ୍ପୂର୍ଣ୍ଣ ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ପୁଲିସ ୯୨ ଜଣଙ୍କୁ ଗିରଫ କରିଛି। ପୁଲିସ କହିଛି ଯେଉଁ ସ୍ଥାନରେ ଦଙ୍ଗାକାରୀମାନେ ଉପଦ୍ରବ କରି ଜନତାଙ୍କ ସମ୍ପତ୍ତି ନଷ୍ଟ କରୁଛନ୍ତି ସେହି ସ୍ଥାନମାନଙ୍କର ଭିଡିଓ କରାଯାଇଛି। ଭିଡିଓରୁ ଦଙ୍ଗାକାରୀଙ୍କୁ ଚିହ୍ନଟ କରାଯାଇ ପୋଷ୍ଟର ଲାଗାଯାଉଛି ଏବଂ ସେମାନଙ୍କୁ ଚିହ୍ନଟ କରିବା ପାଇଁ ପୁଲିସ ସାଧାରଣ ଲୋକଙ୍କ ସାହାର୍ଯ୍ୟ ଲୋଡିଛି।