ଆସାମର ଦିବ୍ର୍ରୁଗଡ଼ରେ ୯ଘଣ୍ଟା ପାଇଁ କର୍ଫ୍ୟୁ କୋହଳ

ନୂଆଦିଲ୍ଲୀ,ଏଜେନ୍ସି: ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରତିବାଦରେ ଦୀର୍ଘ ୬ ଦିନ ଧରି ଆସାମରେ ଉତ୍ତେଜନା ଲାଗି ରହିଥିବା ବେଳେ ରବିବାର ୯ ଘଣ୍ଟା ପାଇଁ କର୍ଫ୍ୟୁ କୋହଳ ହୋଇଛି। ଏ ନେଇ ରବିବାର ସକାଳ ୭ଟାରୁ ଅପରାହ୍ଣ ୪ଟା ଯାଏଁ ଆସାମର ଦିବ୍ର୍ରୁଗଡ଼ ଅଞ୍ଚଳରେ କର୍ଫ୍ୟୁ କୋହଳ କରାଯାଇଛି। ଅପରପକ୍ଷରେ କୌଣସି ବି ସଙ୍ଗିର ପରିସ୍ଥିତି ସୃଷ୍ଟି ନ ହେବା ପାଇଁ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି।

ଆସାମର ମୁଖ୍ୟମନ୍ତ୍ରୀ ସର୍ବଣାନନ୍ଦ ସୋନୋଓ୍ଵାଲ୍‌ଙ୍କ ନେତୃତ୍ୱରେ ଏକ ଦଳ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ପ୍ରତିବାଦ ସମ୍ପର୍କରେ ଆଲୋଚନା କରିବେ। ଗୌହାଟି ଯୁଗ୍ମ ପୁଲିସ କମିସନର୍‌ ଦେବରାଜ ଉପାଧ୍ୟାୟ କହିଛନ୍ତି ଯେ ବିବାଦୀୟ ବିଧେୟକ ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରି ବିଭିନ୍ନ ଥାନା ଅଞ୍ଚଳରେ ଗୁଡ଼ାଏ ଲୋକ ଗିରଫ ହୋଇଛନ୍ତି। ଗଣ୍ଡଗୋଳ ଯୋଗୁଁ ଆସାମରେ ମୃତ୍ୟୁ ସଂଖ୍ୟା ତିନିକୁ ବୃଦ୍ଧି ପାଇଛି।

ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କର ଗୁଳି ଚୋଟରେ ମୃତ୍ୟୁ ଘଟିଛି, ଏବଂ ଗୋଟାଏ ତେଲ ଟ୍ୟାଙ୍କର୍‌ରେ ନିଆଁ ଲଗାଇ ଦିଆଯିବାରୁ ଜଣେ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି। ଅଲ୍‌ ଆସାମ ଷ୍ଟୁଡେଣ୍ଟ୍‌ସ୍‌ ୟୁନିୟନ୍‌ ଏବଂ ଅନ୍ୟାନ୍ୟ ସଙ୍ଗଠନଗୁଡ଼ିକରେ ସାମିଲ ହୋଇ ସମସ୍ତ ଜିଲ୍ଲାରେ ଅନେକ ବ୍ୟକ୍ତି ଧାରଣା ଏବଂ ଅନଶନରେ ବସିଛନ୍ତି। ଆଜି ସେମାନଙ୍କର ପ୍ରତିବାଦ ଷଷ୍ଠ ଦିନରେ ପହଞ୍ଚିଛି।
ଉତ୍ତରପୂର୍ବ ସୀମାନ୍ତ ରେଳବାଇର ମୁଖପାତ୍ର କହିଛନ୍ତି ଯେ ରାଜ୍ୟରେ ଏଯାବତ୍‌ ରେଳ ଚଳାଚଳ ସ୍ୱାଭାବିକ ହୋଇନାହିଁ।