ସାହାଯ୍ୟ କରିବା ନାଁ’ରେ ୭୦ ଲକ୍ଷ ଟଙ୍କାର ଠକେଇ, ମହିଳା ଫେରାର

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ସହରରେ ଜଣେ ମହିଳା ସାହାଯ୍ୟ କରିବା ନାଁ’ରେ ମହିଳାମାଙ୍କୁ ଠକି ୭୦ ଲକ୍ଷରୁ ଊର୍ଦ୍ଧ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି। ଏହି ଘଟଣାଟି ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସମ୍ପୃକ୍ତା ମହିଳା ଜଣଙ୍କ ଯାଜପୁର ଜିଲ୍ଲାର ଆରତୀ ନାୟକ ବୋଲି ଜଣାପଡ଼ିଛି। ଗତ ୩ ବର୍ଷ ହେଲା ସେ ସପରିବାର ଗାନ୍ଧୀନଗର ପଡ଼ାରେ ଏକ ଭଡ଼ାଘରେ ରହୁଥିଲେ। ହଠାତ ମହିଳା ଜଣଙ୍କ ଗାଏବ ହୋଇଯିବା ପରେ ଠକେଇର ଶିକାର ହୋଇଥିବା ମହିଳାମାନେ ସ୍ଥାନୀୟ ଆଦର୍ଶଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ ଆଧାରରେ ପୁଲିସ ଏକ ଠକେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ଠକେଇ ମହିଳାଙ୍କ ସମ୍ପର୍କରେ ଏ ପର୍ଯ୍ୟନ୍ତ ପୁଲିସ ଟେର ପାଇପାରିନାହିଁ। ଅଭିଯୋଗ ଅନୁସାରେ ଆରତୀ ନାମ୍ନି ଏହି ମହିଳା ପଡ଼ାର ମହିଳାମାନଙ୍କ ସହିତ ଉତ୍ତମ ସମ୍ପର୍କ ରଖିବା ସହିତ ସେମାନଙ୍କ ବିଶ୍ୱାସ ଜିଣିଥିଲେ। ପରେ ବିଭିନ୍ନ ଆଳରେ ଠକେଇ ଆରମ୍ଭ କରିଥିଲେ। କାହାକୁ ଚାକିରୀ କରେଇ ଦେବା, କାହାର ଝିଅର ବାହାଘର ତ ଆଉ କାହାକୁ ଜମି କରାଇଦେବା ନାରେ ଟଙ୍କା ହଡ଼ପ କରିଛନ୍ତି। ପ୍ରାୟ ୫୦ଜଣ ମହିଳାଙ୍କ ଠାରୁ ଠକେଇ କରିଥିବା ଅଭିଯୋଗ ହୋଇଛି। ତେବେ ମହିଳାମାନଙ୍କ ଅଭିଯୋଗକୁ ଗୁରୁତର ସହ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।