ସୁଦାନ କାରଖାନାରେ ବିସ୍ଫୋରଣ: ୧୯ ଭାରତୀୟଙ୍କ ସମେତ ୨୩ ମୃତ

ଖାରତୁମ୍,ଏଜେନ୍ସି: ସୁଦାନର ରାଜଧାନୀ ଖାରତୁମରେ ଥିବା ଏକ ସିରାମିକ୍ ଟାଇଲ୍ କାରଖାନାରେ ଗ୍ୟାସ୍ ଟ୍ୟାଙ୍କର୍ ବିସ୍ଫୋରଣ ଘଟିବାରୁ ଭୟାବହ ଅଗ୍ନିକାଣ୍ଡ ଘଟି ଅନ୍ୟୂନ ୨୩ ଜଣଙ୍କ ପ୍ରାଣହାନି ଘଟିଛି। ମୃତକଙ୍କ ମଧ୍ୟରେ ୧୯ ଜଣ ଭାରତୀୟ ଅଛନ୍ତି। ଏହି ବିସ୍ଫୋରଣରେ ୪୫ ଜଣ ଆହତ ହୋଇଛନ୍ତି। ସୁଦାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ରବୀନ୍ଦ୍ର ପ୍ରସାଦ ଜୈସୱାଲ କହିଛନ୍ତି, ଭାରତୀୟ ଦୂତାବାସ ଅଧିକାରୀମାନେ ହସ୍ପିଟାଲକୁ ଯାଇ ଆହତ ଭାରତୀୟଙ୍କୁ ଭେଟିଛନ୍ତି। ଦୂତାବାସ ପକ୍ଷରୁ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି।

ଏହି ବିସ୍ଫୋରଣ ପରେ ପରେ ୧୬ ଜଣ ଭାରତୀୟ ଶ୍ରମିକ ନିଖୋଜ ଅଛନ୍ତି। ନିଖୋଜଙ୍କ ମଧ୍ୟରୁ କେତେଜଣ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି। କିନ୍ତୁ ଅଗ୍ନିଦଗ୍ଧ ମୃତଦେହଗୁଡ଼ିକୁ ଚିହ୍ନଟ କରିବା କଷ୍ଟକର ହୋଇଥିବାରୁ ସେମାନଙ୍କ ପରିଚୟ ଜଣାପଡ଼ିନାହିଁ। ଦୂତାବାସ ପକ୍ଷରୁ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଭାରତୀୟଙ୍କ ସବିଶେଷ ତାଲିକା ଜାରି କରାଯାଇଛି। ଏଥିରୁ ବର୍ତ୍ତି ଯାଇଥିବା ୩୪ ଜଣ ଭାରତୀୟଙ୍କୁ ସାଲୋମି ସିରାମିକ୍ସ ଫ୍ୟାକ୍ଟ୍ରି ଆବାସିକସ୍ଥଳରେ ରଖାଯାଇଛି।

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି, ଦୂତାବାସ ପ୍ରତିନିଧି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚଛନ୍ତି। ରାଜଧାନୀ ଖାରତୁମରେ ଭାରତୀୟ ଦୂତାବାସରେ ୨୪ ଘଣ୍ଟିଆ ଜରୁରୀ ହଟଲାଇନ୍ ପ୍ରତିଷ୍ଠା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ଟ୍ୱିଟରରେ କହିଛନ୍ତି, ଏହି କାରଖାନା ବିସ୍ଫୋରଣରେ ପ୍ରାଣ ହରାଇଥିବା ଭାରତୀୟଙ୍କ ପାଇଁ ଗଭୀର ଶୋକ ପ୍ରକାଶ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଉଛି।

ଆହତଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ରହିଛି ବୋଲି ସୁଦାନର ବାହାରି ଜିଲ୍ଲା ପୁଲିସ ନିର୍ଦ୍ଦେଶକ ବ୍ରିଗେଡିଅର ଜେନେରାଲ୍ ହାସାନ୍ ଅବଦୁଲ୍ଲା କହିଛନ୍ତି। ମୃତାହତମାନେ ହେଲେ କାରଖାନାର କର୍ମଚାରୀ। ଏମାନଙ୍କ ମଧ୍ୟରୁ ଅଧିକାଂଶ ଏସୀୟ ରାଷ୍ଟ୍ରଗୁଡ଼ିକର ନାଗରିକ ବୋଲି ମେଡିକାଲ ସୂତ୍ରରୁ ଜଣାପଡ଼ିଛି। ଜାହାଜରେ ଆସିଥିବା ଗ୍ୟାସ୍ ଟ୍ୟାଙ୍କର୍ ଅନ୍ଲୋଡ୍ ବେଳେ ବିସ୍ଫୋରଣ ଘଟିଥିଲା। ସୁଦାନର ରାଷ୍ଟ୍ରାୟତ ଟିଭିରେ କୁହାଯାଇଛି, ବିସ୍ଫୋରଣରେ ବିପୁଳ ଧନଜୀବନ ନଷ୍ଟ ହୋଇଛି। ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବିସ୍ଫୋରଣଜନିତ ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ ଏହାର ଧୂଆଁରେ ଚତୁର୍ଦ୍ଦିଗ ଆଚ୍ଛାଦିତ ହୋଇଯାଇଥିଲା।