୩୦ତମ କୋଣାର୍କ ଉତ୍ସବ ଉଦଘାଟିତ: ନୃତ୍ୟ ଗୀତରେ କମ୍ପିଲା ବ୍ଲାକ ପାଗୋଡ଼ା ଜିଲ୍ଲାରାଜ୍ୟ By Nitidin On Dec 1, 2019 Share କୋଣାର୍କ,ଏନ୍ଏନ୍ଏସ୍: ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ସୂର୍ଯ୍ୟମନ୍ଦିରର ପାଦଦେଶରେ ଅବସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚ ପରିସରର ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ୩୦ତମ କୋଣାର୍କ ଉତ୍ସବ ଉଦ୍ଘାଟିତ ହୋଇଯାଇଛି। ଏହାକୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ। ଉଦ୍ଘାଟନ ସନ୍ଧ୍ୟାର ପ୍ରଥମେ ଭୁବନେଶ୍ୱର ସୃଜନ ଅନୁଷ୍ଠାନର ଶିଳ୍ପୀ ମାନେ ଓଡ଼ିଶୀ ନୃତ୍ୟ ଶୈଳୀରେ ପରିବେଷଣ କରିଥିଲେ ବନ୍ଦେ ସୂର୍ଯ୍ୟମ୍। ପଣ୍ଡିତ ନିତ୍ୟାନନ୍ଦ ମିଶ୍ରଙ୍କ ରଚନା ଓ ଗୁରୁ ରତିକାନ୍ତ ମହାପାତ୍ରଙ୍କ ସଂଯୋଜନାରେ ସୃଜନର କଳାକାରମାନେ ସୂର୍ଯ୍ୟନାରାୟଣଙ୍କ ବନ୍ଦନା ଓ ଆଳତି ନିଖୁଣ ଭାବରେ ପରିବେଷଣ କରିଥିଲେ। ପରେ ପରେ ହଂସଧ୍ୱନୀ ପଲ୍ଲବୀ ନୃତ୍ୟକୁ ପରିବେଷଣ କରିଥିଲେ। ଏହାପରେ ନୃତ୍ୟଶିଳ୍ପୀ ମାନେ ଶକ୍ତିଙ୍କ ବିବିଧ ସ୍ୱରୁପକୁ ନେଇ ପରିବେଷଣ କରିଥିଲେ ଭଗବତୀ ସ୍ତୋତ୍ରମ। ସୃଜନର ଅନ୍ତିମ ଚରଣରେ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ବନ୍ଦେ ମାତରମକୁ ନୃତ୍ୟାଙ୍ଗନା ମାନେ ନିଖୁଣ ଭାବରେ ପରିବେଷଣ କରିଥିଲେ। ଏହି ସନ୍ଧ୍ୟାର ଦ୍ୱତୀୟାର୍ଦ୍ଧରେ ସୁପ୍ରସିଦ୍ଧ କଥକ ନୃତ୍ୟ ଶିଲ୍ପୀ ସମା ଭଟେଙ୍କ ଦ୍ୱାରା ପ୍ରସ୍ତୁତ ସୂର୍ଯ୍ୟ ବନ୍ଦନା ତାଳ ରୂପକ ଆଧାରିତ ଶୁଦ୍ଧ ନୃତ୍ୟକୁ ପରିବେଷଣରେ ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ ଏକ ମନୋରମ ଓ ଆଧାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ପରେ ପରେ ନୃତ୍ୟ ଶିଳ୍ପୀମାନେ କଥକ ନୃତ୍ୟରେ କାଳୀୟ ମର୍ଦ୍ଧନକୁ ପରିବେଷଣ କରିଥିଲେ। ଏହା ପରେ ତନିତାଲ ଆଧାରିତ ଦୃତଲୟର ଅଭିନୟ ସହ ଚତୁରଙ୍ଗର ଶୁଦ୍ଧ ରୁପକୁ ନୃତ୍ୟ ଛନ୍ଦରେ ପରିବେଷଣ କରିଥିଲେ ଶିଳ୍ପୀଗଣ। ଏହି ପରିପ୍ରେକ୍ଷୀରେ ଚନ୍ଦ୍ରଭାଗା ଠାରେ ଆୟୋଜିତ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବକୁ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପ୍ରାଣିଗ୍ରାହୀ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ମହୋତ୍ସବରେ ୭ଟି ଦେଶର ବିଦେଶୀ କଳାକାର ସମେତ ଓଡ଼ିଶା ତଥା ଓଡ଼ିଶା ବହାରର ବାଲୁକା ଶିଳ୍ପୀମାନେ ସାଂସ୍କୃତିକ ଐତିହ୍ୟକୁ ନେଇ ନିଖୁଣ ଭାବରେ ବେଳାଭୂମି କୁଳରେ ନିର୍ମାଣ କରିଥିଲେ। ବାଲୁକା କଳାକୁ ମନ୍ତ୍ରୀ ଶ୍ରୀ ପ୍ରାଣିଗ୍ରାହୀଙ୍କ ସମେତ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ପର୍ଯ୍ୟଟନ ସଚିବ ବିଶାଲ ଦେବ, ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋର୍ତିମୟ ଦଳାଇ ପ୍ରମୁଖ ଯୋଗଦେଇଥିଲେ। ଏହି ପରିପ୍ରେକ୍ଷିରେ କୋଣାର୍କ ହେଲିପ୍ୟାଡ ଠାରେ ଏନଏସି ପକ୍ଷରୁ ଆୟୋଜିତ ମିନା ବଜାର ଓ ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀକୁ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ବେହେରା, ଅସ୍ତରଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ, ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋର୍ତିମୟ ଦଳାଇ ପ୍ରମୁଖ ଯୋଗଦେଇ ଲୋକାର୍ପିତ କରିଥିଲେ। ପରେ ପରେ କୋଣାର୍କ ଅର୍ବାନ ହାଟ ଠାରେ ଅର୍କଶ୍ରୀ ସାମାଜିକ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ପୁସ୍ତକ ମେଳାକୁ ମନ୍ତ୍ରୀ ଶ୍ରୀ ବେହେରା ଉଦଘାଟନ କରିଥିଲେ। ଏହି ସମାରୋହରେ ପୁରୀ ଜିଲ୍ଲାପରିଷଦ ଅଧ୍ୟକ୍ଷ ଜ୍ୟୋର୍ତିମୟ ଦଳାଇ, ଅସ୍ତରଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ, ପ୍ରସ୍ତର ଶିଳ୍ପୀ ପ୍ରଭାକର ମହାରଣା, ଅର୍କଶ୍ରୀର ସଂପାଦକ ଉମେଶ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ। କୋଣାର୍କ ଉତ୍ସବର ଉଦଘାଟନ ସମାରୋହରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପ୍ରାଣିଗ୍ରାହୀ, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ , ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଶ୍ରାମୟୀ ମିଶ୍ର, ପର୍ଯ୍ୟଟନ ସଚିବ ବିଶାଲ ଦେବ, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ,ପୁରୀଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋର୍ତିମୟ ଦଳାଇ, ପୁରୀଜିଲ୍ଲାପାଳ ବଲୱନ୍ତ ସିଂ ଓ ପୁରୀ ଏସ୍ପି ଉମାଙ୍କର ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ପର୍ଯ୍ୟଟନ ବିଭାଗର ଯୁଗ୍ମ ନିର୍ଦ୍ଧେଶକ ଉତ୍ପଳ କୁମାର ପତି, ସହ ନିର୍ଦ୍ଦେଶକ ବିଜୟ କୁମାର ଯେନା, ସୁନିଲ କୁମାର ପଟ୍ଟନାୟକ, ରତିକାନ୍ତ ପଟ୍ଟନାୟକ ଓ କୋଣାର୍କ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ। ଏହି ଉତ୍ସବକୁ ଡଃସାଧନା ଶ୍ରୀ ବାସ୍ତବ ଓ ଅଧ୍ୟାପକ ଡଃ ମୃତ୍ୟୁଞ୍ଜୟ ରଥ ପ୍ରମୁଖ ସଂଯୋଜନା କରିଥିଲେ। Share