ଟରଣ୍ଟୋ,ଏଜେନ୍ସି : କାନାଡ଼ାର ଲେକ୍ ଓଣ୍ଟାରିଓ କୂଳସ୍ଥିତ ଜଙ୍ଗଲରେ ଛୋଟ ବିମାନଟିଏ ଦୁର୍ଘଟଣାର ଶିକାର ହେବା ଫଳରେ ୫ ଜଣ ଆମେରିକୀୟ ଓ ଦୁଇଜଣ କାନାଡାବାସୀ ପ୍ରାଣ ହରାଇଛନ୍ତି। କାନାଡ଼ା ପରିବହନ ସୁରକ୍ଷା ସଂସ୍ଥା ସୂଚନାନୁସାରେ ଆମେରିକା ପଞ୍ଜୀକୃତ ଏକ ଇଞ୍ଜିନ ବିଶିଷ୍ଟ ବିମାନଟି ଟରଣ୍ଟୋର ବଟ୍ଟନଭିଲ୍ଲେ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରି କ୍ୟୁବେକ୍ ସିଟି ଅଭିମୁଖେ ଯାଉଥିଲା।
ତେବେ ଓଣ୍ଟାରିଓ ବିମାନ ବନ୍ଦରରେ ଅବତରଣ କରି ପୁଣି ଉଡ଼ାଣ କରିବାର କିଛି ସମୟ ପରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଖବର ପାଇବାମାତ୍ରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ବିମାନ ଖୋଜିବାକୁ ବାହାରି ଯାଇଥିଲା। ତେବେ ଘନ ଜଙ୍ଗଲ ଯୋଗୁ ଦୁର୍ଘଟଣାଗ୍ରସ୍ତ ବିମାନ ଠାବ କରିବା ସମ୍ଭବ ହୋଇନି। କାନାଡ଼ା ମିଡ଼ିଆ ରିପୋର୍ଟ ଅନୁସାରେ ବିମାନର ପାଇଲଟଙ୍କ ଘର ଟେକ୍ସାସରେ। ସେ ତାଙ୍କ ଗାର୍ଲଫ୍ରେଣ୍ଡଙ୍କ ସମେତ ୩, ୧୧ ଓ ୧୫ ବର୍ଷ ବୟସର ତିନୋଟି ପିଲାଙ୍କୁ ବିମାନରେ ବସାଇଥିଲେ। ଏମାନଙ୍କ ବ୍ୟତୀତ କାନାଡ଼ାର ଦୁଇଜଣଙ୍କୁ ମଧ୍ୟ ବିମାନରେ ବସାଇ ଯାତ୍ରା କରୁଥିଲେ। ଶୁକ୍ରବାର ସୁଦ୍ଧା ଦୁର୍ଘଟଣାଗ୍ରସ୍ତ ବିମାନର କୌଣସି ଅଂଶ ଆଖିରେ ପଡ଼ିନି।