ହାଡଫୁଟି ଓ ମିଳିମିଳାରେ ୨୦ରୁ ଅଧିକ ଆକ୍ରାନ୍ତ, ପହଞ୍ଚି ପାରିନି ଡାକ୍ତରୀ ଚିକିତ୍ସା

ତେଲକୋଇ/କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ ଶିବନାରାୟନପୁର ଗୋଡା ପଞ୍ଚାୟତର ସାନ କୁମୁଣ୍ଡୁ ଜୁଆଙ୍ଗ ସାହିରେ ୨୦ରୁ ଅଧିକ ଲୋକ ହାଡଫୁଟି ମିଳିମିଳା ରୋଗରେ ଆକ୍ରାନ୍ତ ହୋଇଥିବା ଖବର ମିଳିଛି ।ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ପାଖରେ ଡାକ୍ତରୀ ଚିକିତ୍ସା ପହଞ୍ଚି ପାରିନାହିଁ। ତେଣୁ ସେମାନେ ପୂଜାପାଠ କରି ତୁଟୁକା ଚିକିତ୍ସା କରୁଥିବା ଜଣାପଡିଛି ।ଆକ୍ରାନ୍ତଙ୍କ ମଧ୍ୟରେ ୧୦ରୁ ଅଧିକ ଶିଶୁ ଥିବା ସୂଚନା ମିଳିଛି। ପ୍ରକାଶ ଯୋଗ୍ୟ ଯେ ଏହି ଜୁଆଙ୍ଗ ବସ୍ତିରେ ପ୍ରାୟ ୩୦ ପରିବାରର ଶତାଧିକ ଲୋକ ବାସ କରୁଛନ୍ତି । ତେବେ ବସ୍ତିରେ ଥିବା ନଳକୂଅରୁ ଦୂଷିତ ପାଣି ବାହାରୁଥିବାରୁ ସେମାନେ ବାଧ୍ୟହୋଇ ନିକଟସ୍ଥ ସମାକୋଇ ନଦୀ ଜଳ ବ୍ୟବହାର କରୁଛନ୍ତି। ଏହି ନଦୀ ଜଳ ବ୍ୟବହାର କରି ସେମାନେ ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି ।


ସବୁଠାରୁ ବଡ କଥାହେଲା ସ୍ୱାସ୍ଥ୍ୟ ବିଭାଗ ପାଖରେ ଏ ସମ୍ପର୍କରେ କିଛି ଖବର ନାହିଁ। ତେଣୁ ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଡାକ୍ତରୀ ଚିକିତ୍ସା ବଦଳରେ ଗୁଣି ଗାରେଡିରେ ଅଧିକ ଭରସା କରୁଥିବା ସୂଚନା ମିଳିଛି। ଅପର ପକ୍ଷରେ ସେଠାରେ ରୋଗୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପରିସ୍ଥିତି ଅଣାୟତ ହେବାପୁର୍ବରୁ ଜିଲାପ୍ରଶାସନ ଏଥି ପ୍ରତି ସଜାଗ ହେବାକୁ ଦାବି ହେଉଛି ।
ତେବେ ଏବାବଦରେ କେନ୍ଦୁଝର ସିଡ଼ିଏମଓଙ୍କୁ ପଚାରିବାରୁ ମୋ ପାଖରେ କିଛି ଖବର ନାହିଁ।ତେବେ ମୁଁ ତେଲକୋଇ ସିଏଚସିର ଏମଓ ଇନଚାର୍ଜଙ୍କୁ ତୁରନ୍ତ ସେହି ଗ୍ରାମକୁ ଯିବାକୁ କହୁଛି। ଯଦି ଲୋକ ସେମିତି ରୋଗରେ ପୀଡିତ ହୋଇ ଥାଆନ୍ତି ତେବେ ଶନିବାର ସେଠାକୁ ଏକ ଡାକ୍ତରୀ ଦଳ ପଠାଯିବ ବୋଲି କହିଛନ୍ତି।