ଛାତ୍ରଙ୍କ ନୂଆ ଉଦ୍ଭାବନ: ଧୂଆଁ ବାହାରିଲେ ଚାଲିବନି ବାଇକ୍

ଅନୁଗୁଳ,ଏନ୍ଏନ୍ଏସ୍: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଗଡ଼ସନ୍ତ୍ରୀ ନେହରୁ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ଆୟୁଷ ଆର୍ଯ୍ୟନ୍ ବିଶ୍ୱାଳ ନୂତନ ଯନ୍ତ୍ର ଉଦ୍ଭାବନ କରିଛନ୍ତି। ଏହି ଯନ୍ତ୍ରରେ ଏକ କାଚ ଲାଗିଛି। ବାଇକ୍ରେ ବ୍ୟବହାର ସେଥିରୁ ଅଧିକ ଧୂଆଁ ବାହାରିଲେ କାଚ କଳା ପଡ଼ିଯିବ। କାଚ ଭିତର ଦେଇ ଆଲୋକ ଯାଇପାରିବ ନାହିଁ। ଫଳରେ ଆପେ ଆପେ ବାଇକ୍ ଇଞ୍ଜିନ ବନ୍ଦ ହୋଇଯିବ। ମରାମତି ପରେ ଇଞ୍ଜିନ ପୁନଃକାର୍ଯ୍ୟକ୍ଷମ ହେବ ବୋଲି ଛାତ୍ର ଆୟୁଷ ପ୍ରକାଶ କରିବା ସହ ଏହି ଯନ୍ତ୍ରକୁ ସେ ବାଇକରେ ମଧ୍ୟ ବ୍ୟବହାର କରି ପରୀକ୍ଷା କରିଥିବା ସେ ପ୍ରକାଶ କରିଛନ୍ତି।

ସ୍ଥାନୀୟ କୁଇଓ ହାଇସ୍କୁଲରେ ଆୟୋଜିତ କ୍ଲବସ୍ତରୀୟ ବିଜ୍ଞାନ ମେଳାରେ ଆୟୁଷଙ୍କ ପ୍ରକଳ୍ପ ପ୍ରଦର୍ଶିତ ହୋଇ ସମସ୍ତଙ୍କ ମନକୁ ଛୁଇଁଥିଲା। ଏହି ପ୍ରକଳ୍ପଟି ବ୍ଲକସ୍ତରୀୟ ବିଜ୍ଞାନ ମେଳାରେ ଦ୍ୱିତୀୟ ସ୍ଥାନ ଲାଭ କରିଛି। ଆୟୁଷଙ୍କର ଏହି ସଫଳତା ପାଇଁ ସବୁ ମହଲରୁ ପ୍ରଶଂସା କରାଯିବା ସହ ରାଜ୍ୟ ସରକାର ତାଙ୍କୁ ଅଧିକ ପ୍ରୋତ୍ସାହନ ଯୋଗାଇ ଦେବାକୁ ଦାବି ହେଉଛି। ଏହାକୁ ବ୍ୟବହାର ଦ୍ୱାରା ବାଇକ୍ଜନିତ ପ୍ରଦୂଷଣ ନିୟନ୍ତ୍ରଣ କରିହେବ ବୋଲି ସେ କହିଛନ୍ତି।

ସୂଚନା ଅନୁଯାୟୀ ବାୟୁ ପ୍ରଦୂଷଣ ଏବେ ଚିନ୍ତାଜନକ ଅବସ୍ଥାରେ ପହଞ୍ଚିଛି। ଗାଡ଼ି ମୋଟର ଦ୍ୱାରା ହେଉଥିବା ପ୍ରଦୂଷଣର ମାତ୍ରା ମଧ୍ୟ କମ୍ ହେଉନାହିଁ। ବାଇକ୍ ଦ୍ୱାରା ହେଉଥିବା ପ୍ରଦୂଷଣ କିପରି ରୋକିହେବ ସେଥିପାଇଁ ଆୟୁଷ ଚିନ୍ତା କରୁଥିଲେ। ସ୍କୁଲ ବିଜ୍ଞାନ ଶିକ୍ଷକ ବିଜୟ କୁମାର ଧୀରଙ୍କ ସହଯୋଗରେ ସେ ନୂଆ ଯନ୍ତ୍ରଟିଏ ତିଆରି କରିବାରେ ସକ୍ଷମ ହୋଇଛନ୍ତି।