କଟକ,ଏନ୍ଏନ୍ଏସ୍: ଓଡ଼ିଶା ପ୍ରସିଦ୍ଧ କଟକ ବାଲିଯାତ୍ରାର ପଞ୍ଚମ ସନ୍ଧ୍ୟାରେ ଖୁବ୍ ଭିଡ ପରିଲକ୍ଷିତ ହୋଇଥିଲା। ଏହି ସନ୍ଧ୍ୟାରେ ବାଲିଯାତ୍ରାର ମୁଖ୍ୟ ଆକର୍ଷକ ଭାବେ ଦଲେର ମେହେନ୍ଦୀ ଯୋଗଦେଇଥିଲେ। ଏ ନେଇ କଟକ ସହର ପ୍ରକମ୍ପିତ ହୋଇ ଉଠିଥିଲା। ରାସ୍ତାଗୁଡ଼ିକ ଘଣ୍ଟା ଘଣ୍ଟା ଧରି ଜାମ ରହିଥିବା ଦେଖିବାକୁ ମିଳିଥିଲା। ରାତି ଦଶଟା ପର୍ୟ୍ୟନ୍ତ ଦଲେରଙ୍କ ଏହି ଶୋ’ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଦର୍ଶକମାନେ ସଂଗୀତର ତାଳେତାଳେ ନୃତ୍ୟ କରିଥିଲେ। ନିଜର ଅନେକ ଲୋକପ୍ରିୟ ଗୀତ ଗାଇ ସେ ଦର୍ଶକଙ୍କ ଭରପୂର ମନୋରଞ୍ଜନ କରିଥିଲେ।

ଦଲେରଙ୍କ ସହ ତାଙ୍କ ପତ୍ନୀ ଓ ଛୋଟ ଝିଅ ମଧ୍ୟ ବାଲିଯାତ୍ରାକୁ ଆସିଥିଲେ। ତାଙ୍କ ଶୋ’ ସରିବା ପରେ ପଡ଼ିଆରେ ବିଳମ୍ବିତ ରାତ୍ରି ଯାଏ ଭିଡ଼ ଜମି ରହିଥିଲା। ଅନ୍ୟପଟେ ଆଜି ସକାଳେ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ପଥୋତ୍ସବରେ ଯୋଗଦେଇଥିଲେ। ସେହିପରି ଏନ୍ଡିଆରଏଫର ମହାନିର୍ଦ୍ଦେଶକ ସତ୍ୟନାରାୟଣ ପ୍ରଧାନ ବିଭିନ୍ନ କାର୍ୟ୍ୟକ୍ରମରେ ସାମିଲ ହେବା ସହିତ ନିଜେ ଓଡ଼ିଆ ଗୀତ ଗାଇ ଉପସ୍ଥିତ ଦର୍ଶକଙ୍କୁ ଚକିତ କରି ଦେଇଥିଲେ। ଜିଲ୍ଲାପାଳ ଭବାନୀଶଙ୍କର ଚୟନୀଙ୍କ ଆବାହକତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରେସ୍ ଦିବସ ପାଇଁ ସ୍ୱତନ୍ତ୍ର ଆଲୋଚନାଚକ୍ର ପଡ଼ିଆରେ ଅନୁଷ୍ଠିତ ହୋଇଥିଲା।
