ବାଲିଯାତ୍ରାର ୫ମ ଦିନରେ କମ୍ପିଲା କଟକ ସହର

କଟକ,ଏନ୍ଏନ୍ଏସ୍: ଓଡ଼ିଶା ପ୍ରସିଦ୍ଧ କଟକ ବାଲିଯାତ୍ରାର ପଞ୍ଚମ ସନ୍ଧ୍ୟାରେ ଖୁବ୍ ଭିଡ ପରିଲକ୍ଷିତ ହୋଇଥିଲା। ଏହି ସନ୍ଧ୍ୟାରେ ବାଲିଯାତ୍ରାର ମୁଖ୍ୟ ଆକର୍ଷକ ଭାବେ ଦଲେର ମେହେନ୍ଦୀ ଯୋଗଦେଇଥିଲେ। ଏ ନେଇ କଟକ ସହର ପ୍ରକମ୍ପିତ ହୋଇ ଉଠିଥିଲା। ରାସ୍ତାଗୁଡ଼ିକ ଘଣ୍ଟା ଘଣ୍ଟା ଧରି ଜାମ ରହିଥିବା ଦେଖିବାକୁ ମିଳିଥିଲା। ରାତି ଦଶଟା ପର୍ୟ୍ୟନ୍ତ ଦଲେରଙ୍କ ଏହି ଶୋ’ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଦର୍ଶକମାନେ ସଂଗୀତର ତାଳେତାଳେ ନୃତ୍ୟ କରିଥିଲେ। ନିଜର ଅନେକ ଲୋକପ୍ରିୟ ଗୀତ ଗାଇ ସେ ଦର୍ଶକଙ୍କ ଭରପୂର ମନୋରଞ୍ଜନ କରିଥିଲେ।

ଦଲେରଙ୍କ ସହ ତାଙ୍କ ପତ୍ନୀ ଓ ଛୋଟ ଝିଅ ମଧ୍ୟ ବାଲିଯାତ୍ରାକୁ ଆସିଥିଲେ। ତାଙ୍କ ଶୋ’ ସରିବା ପରେ ପଡ଼ିଆରେ ବିଳମ୍ବିତ ରାତ୍ରି ଯାଏ ଭିଡ଼ ଜମି ରହିଥିଲା। ଅନ୍ୟପଟେ ଆଜି ସକାଳେ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ପଥୋତ୍ସବରେ ଯୋଗଦେଇଥିଲେ। ସେହିପରି ଏନ୍‌ଡିଆରଏଫର ମହାନିର୍ଦ୍ଦେଶକ ସତ୍ୟନାରାୟଣ ପ୍ରଧାନ ବିଭିନ୍ନ କାର୍ୟ୍ୟକ୍ରମରେ ସାମିଲ ହେବା ସହିତ ନିଜେ ଓଡ଼ିଆ ଗୀତ ଗାଇ ଉପସ୍ଥିତ ଦର୍ଶକଙ୍କୁ ଚକିତ କରି ଦେଇଥିଲେ। ଜିଲ୍ଲାପାଳ ଭବାନୀଶଙ୍କର ଚୟନୀଙ୍କ ଆବାହକତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରେସ୍ ଦିବସ ପାଇଁ ସ୍ୱତନ୍ତ୍ର ଆଲୋଚନାଚକ୍ର ପଡ଼ିଆରେ ଅନୁଷ୍ଠିତ ହୋଇଥିଲା।

ବାଲିଯାତ୍ରା ଆଜି ପଞ୍ଚମ ଦିନରେ ପହଞ୍ଚି ଥିବାବେଳେ ଆଜି ସବୁଠୁ ଅଧିକ ଭିଡ଼ ହୋଇଥିଲା। ପଡ଼ିଆରେ ବ୍ୟବସାୟ ବି ଖୁବ୍ ଜମିଥିଲା। ରେକର୍ଡ ଅନୁଯାୟୀ ବାଲିଯାତ୍ରା ତଳପଡ଼ିଆରେ ଗତକାଲି ଓରମାସ ପରିସରରେ ୧କୋଟି ୮୯ ଲକ୍ଷ ୩୩ ହଜାର ୯୭୦ ଟଙ୍କାର ବ୍ୟବସାୟ ହୋଇଛି। ପୂରା ପଡିଆରେ ଏହି ବ୍ୟବସାୟ ପରିମାଣ ଗତକାଲି ୬ କୋଟି ଟଙ୍କାରୁ ଅଧିକ ହୋଇଥିବା ଆକଳନ କରାଯାଉଛି।

ବାଲିଯାତ୍ରା ଆସନ୍ତା ୨୦ ତାରିଖ ଯାଏ ହେବାକୁ ଥିବା ବେଳେ ଆସନ୍ତାକାଲି ରବିବାର ଥିବାରୁ ଭିଡ଼ ଓ ବ୍ୟବସାୟ ରେକର୍ଡ ଟପିବ ବୋଲି ଆକଳନ କରାଯାଉଛି। ଆସନ୍ତାକାଲି ବାଲିଯାତ୍ରାର ଗଣକବି ବୈଷ୍ଣବ ପାଣି ମଞ୍ଚରେ ବଲିଉଡ୍‌ର ଲୋକପ୍ରିୟ ଓଡ଼ିଆ କଣ୍ଠଶିଳ୍ପୀ ସୋନା ମହାପାତ୍ରଙ୍କ ସୋ’ ଥିବା ବେଳେ ଏଥିପାଇଁ ସ୍ବତନ୍ତ୍ର ପ୍ରସ୍ତୁତି ହୋଇଛି। ଭିଡ଼ ନିୟନ୍ତ୍ରଣ ପାଇଁ କଟକ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।