ଜାନୁଆରୀ ୩ ରୁ ୭ ବଲାଙ୍ଗୀର ଲୋକଉତ୍ସବ

ବଲାଙ୍ଗୀର, ଏନଏନଏସ : ଚଳିତ ବର୍ଷର ଲୋକ ଉତ୍ସବ ଜାନୁଆରୀ ୩ ରୁ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଲୋକଉତ୍ସବ କମିଟିର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଅରିନ୍ଦମ ଡ଼ାକୁଆଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପିଡି ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିବା ପ୍ରସ୍ତୁତି ବୈଠକରେ ସ୍ଥିରକୃତ ହୋଇଛି ।

ସୂଚନାଯୋଗ୍ୟ ଯେ, ପ୍ରତିବର୍ଷ ନଭେମ୍ବର ୪ ରୁ ୮ ତାରିଖ ପର୍ଯ୍ୟନ୍ତ ଲୋକଉତ୍ସବ ପାଳନ କରିବା ପାଇଁ ସ୍ଥିରିକୃତ ହୋଇଥିଲେ ମଧ୍ୟ ବିଭିନ୍ନ କାରଣରୁ ନିର୍ଦ୍ଧାରିତ ଦିବସରେ ଲୋକଉତ୍ସବ ହୋଇ ପାରିନଥିଲା । ତେବେ ଜାନୁଆରୀ ମାସରେ କରିବା ପାଇଁ ବୈଠକରେ ସର୍ବସମ୍ମତ କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ପ୍ରଥମେ ଜିଲ୍ଲା ସଂସ୍କୃତି ଅଧିକାରୀ ବିଜୟ କୁମାର ଶତପଥି ବିଗତ ବର୍ଷର ଆୟବ୍ୟୟ ବୀବରଣୀ ପ୍ରଦାନ କରିଥିଲେ । ବିଗତ ବର୍ଷ ବିଭିନ୍ନ ସୂତ୍ରରୁ ୨୫ ଲକ୍ଷ ୬୬ ହଜାର ୭୨୨ ଟଙ୍କା ସଂଗ୍ରହ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ୨୧ ଲକ୍ଷ ୯୫ ହଜାର ୭୨୨ ଟଙ୍କା ସଂଗୃହିତ ହୋଇଥିଲା ଓ ୩ ଲକ୍ଷ ୭୧ ହଜାର ଟଙ୍କା ବାକିଆ ରହିଛି । ତେବେ ଲୋକଉତ୍ସବରେ ୨୧ ଲକ୍ଷ ୩୯ ହଜାର ୮୪ ଟଙ୍କା ସଂଗୃହିତ ହୋଇଥିବା ଶ୍ରୀ ଶତପଥି କହିଥିଲେ । ପରେ ଆଗାମୀ ଲୋକଉତ୍ସବ ପାଳନ ପାଇଁ ବିଭିନ୍ନ ବିଭାଗର ଉପକମିଟି ଗଠନ କରାଯାଇଥିଲା । ଅର୍ଥ କମିଟିର ଅଧ୍ୟକ୍ଷ ଭାବେ ଏଡିଏମ ପରିକ୍ଷୀତ ସେଠୀଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ସହ ଅଧ୍ୟକ୍ଷ ଭାବେ ଶ୍ରୀକର ମିଶ୍ରଙ୍କୁ ମନୋନୀତ କରାଯାଇଛି ।

ସେହିପରି ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ପିଡି ଡିଆରଡିଏ ଡ.ମହେଶ୍ୱର ସ୍ୱାଇଁ , ସହ ଅଧ୍ୟକ୍ଷ ସତ୍ୟସୁନ୍ଦର ଭଞ୍ଜ , ସାଂସ୍କୃତିକ କମିଟିର ଅଧ୍ୟକ୍ଷ ଜିଲ୍ଲା ସଂସ୍କୃତି ଅଧିକାରୀ ବିଜୟ କୁମାର ଶତପଥି , ସହ ଅଧ୍ୟକ୍ଷ କୁନା ବାଗ , ପ୍ରଚାର ପ୍ରସାର କମିଟି ଅଧ୍ୟକ୍ଷ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ , ସହ ଅଧ୍ୟକ୍ଷ ଚିତ୍ତରଞ୍ଜନ ମିଶ୍ର , ମଂଚ କମିଟିର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ବଢେଇ , ସହ ଅଧ୍ୟକ୍ଷ ଜ୍ୟୋତିରଞ୍ଜନ ପାଣିଗ୍ରାହୀ , ସେମିନାର କମିଟି ଅଧ୍ୟକ୍ଷ ରବିନ୍ଦ୍ର କୁମାର ଦଳେଇ , ସହ ଅଧ୍ୟକ୍ଷ ସନାତନ ଠାକୁର , ଖାଦ୍ୟ କମିଟିର ଅଧ୍ୟକ୍ଷ ସିଏସଓ ଅଭିରାମ ପ୍ରଧାନ , ସହ ଅଧ୍ୟକ୍ଷ ଲଳିତ ନାୟକ , ସ୍ମରଣିକା କମିଟିର ଅଧ୍ୟକ୍ଷ ଜିଲ୍ଲା ଶିକ୍ଷାଧିକାରୀ କାର୍ତ୍ତିକେଶ୍ୱର ଲେଙ୍କା ଓ ଗ୍ରାଉଣ୍ଡ ମ୍ୟାନେଜମେଂଟ କମିଟିର ଅଧ୍ୟକ୍ଷ ଭାବେ ପୌର ନିର୍ବାହୀ ଅଧିକାରୀ ବିପିନ ଦୀପ ଓ ସହ ଅଧ୍ୟକ୍ଷ ଭାବେ ସୋମନାଥ ମିଶ୍ରଙ୍କୁ ମନୋନୀତ କରାଯାଇଛି । ଏହା ସହିତ ଗୋଟାଏ ଦିନରେ ସମସ୍ତ ବ୍ଲକରେ ପ୍ରତିଯୋଗୀତା କରାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।