ଚୀନର ଲ୍ୟାଣ୍ଡର୍ ଟେଷ୍ଟ୍ ସଫଳ

ହୁଏଲାଇ, ଏଜେନ୍ସି : ଗୁରୁବାର ଚୀନର ଲ୍ୟାଣ୍ଡର୍ ଟେଷ୍ଟ୍ ସଫଳ ହୋଇଛି। ଆସନ୍ତା ବର୍ଷ ଚୀନ୍ ପ୍ରଥମ ମାନବବିହୀନ ମଙ୍ଗଳ ମିଶନ ଆରମ୍ଭ କରିବାକୁ ଯାଉଥିବାରୁ ଲ୍ୟାଣ୍ଡର୍ ଟେଷ୍ଟ୍ କରୁଥିଲା। ଏ ସମ୍ପର୍କରେ ଚୀନ ରାଷ୍ଟ୍ରୀୟ ମହାକାଶ ପ୍ରଶାସନ ମୁଖ୍ୟ ଝାଙ୍ଗ୍ କେଜିଆନ କହିଛନ୍ତି, ‘୨୦୨୦ରେ ମଙ୍ଗଳକୁ ମାନବବିହୀନ ମହାକାଶଯାନ ପଠାଇବା ପାଇଁ ଯୋଜନା କରୁଛୁ। ଉକ୍ତ ମିଶନରେ ଲ୍ୟାଣ୍ଡରଟିର ନିରାପଦ ଅବତରଣ ପ୍ରତି ଆମେ ଅଧିକ ଦୃଷ୍ଟି ଦେଉଛୁ।’ ଦୀର୍ଘ ୭ ମାସ ଧରି ମଙ୍ଗଳ ଅଭିମୁଖେ ଯାତ୍ରା କରିବା ପରେ ମହାକାଶଯାନ ଭିତରେ ଥିବା ଲ୍ୟାଣ୍ଡରଟି ମାତ୍ର ୭ ମିନିଟ୍ ଭିତରେ ମଙ୍ଗଳରେ ଅବତରଣ କରିବ। ଲ୍ୟାଣ୍ଡର୍ ଅବତରଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିବାରୁ ସେଥିପ୍ରତି ଅଧିକ ଧ୍ୟାନ ଦିଆଯାଉଥିବାର ସେ କହିଛନ୍ତି।

ଗୁରୁବାର ଚୀନର ଉତ୍ତର-ପଶ୍ଚିମ ଭାଗରେ ଅବସ୍ଥିତ ହୁଆଲାଇ ମହାକାଶ କେନ୍ଦ୍ରରେ ଲ୍ୟାଣ୍ଡର୍ ପରୀକ୍ଷଣ କରାଯାଇଛି। ୨୦୨୦ ମାର୍ଚ୍ଚ ୫ରେ ଚୀନ୍ ମଙ୍ଗଳକୁ ମହାକାଶଯାନ ପଠାଇବ। ଯେଉଁ ଶକ୍ତିଶାଳୀ ରକେଟ୍ ମହାକାଶଯାନ ଧରି ମଙ୍ଗଳକୁ ଯାତ୍ରା କରିବ ସେହି ରକେଟ୍ ବ୍ୟବହାର କରି ଚୀନ୍ ୨୦୧୯ ଶେଷ ଭାଗରେ ଚନ୍ଦ୍ର ଉଦ୍ଦେଶ୍ୟରେ ଚାଙ୍ଗ’ଇ-୫ ମହାକାଶଯାନ ପଠାଇ ଚନ୍ଦ୍ରପୃଷ୍ଠରୁ ଶିଳା ନମୁନା ସଂଗ୍ରହ କରିବ। ଚଳିତ ବର୍ଷ ଜାନୁଆରୀରେ ଚୀନର ଚାଙ୍ଗ’ଇ-୪ ମହାକାଶଯାନ ଚନ୍ଦ୍ରପୃଷ୍ଠରେ ଅବତରଣ କରି ଐତିହାସିକ ସଫଳତା ଲାଭ କରିଥିଲା। ୨୦୧୩ରେ ଚୀନ୍ ପ୍ରଥମ ଚନ୍ଦ୍ର ଅଭିଯାନ ଆରମ୍ଭ କରିଥିଲା।

୨୦୨୨ ସୁଦ୍ଧା ଚୀନ୍ ମହାକାଶରେ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବା ଯୋଜନା ରଖିଛି। ଚୀନ୍ ପୂର୍ବରୁ ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ମଧ୍ୟ ମହାକାଶରେ ଅତ୍ୟାଧୁନିକ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବ ବୋଲି ଘୋଷଣା କରିଛି। ନାସା ପ୍ରତିଷ୍ଠିତ ମହାକାଶ ଗବେଷଣା କେନ୍ଦ୍ର ଚନ୍ଦ୍ରକୁ ପ୍ରଦକ୍ଷିଣ କରିବ। ୨୦୦୩ରେ ଚୀନ୍ ନିଜ ତିଆରି ରକେଟ୍ ଜରିଆରେ ମହାକାଶକୁ ମଣିଷ ପଠାଇ ଐତିହାସିକ ରେକର୍ଡ ହାସଲ କରିଥିଲା। ସୋଭିଏତ୍ ରୁଷ ଓ ଯୁକ୍ତରାଷ୍ଟ୍ର ଆମେରିକା ପରେ ଚୀନ୍ ତୃତୀୟ ରାଷ୍ଟ୍ର ଭାବେ ମହାକାଶକୁ ମଣିଷ ପଠାଇ ସଫଳତା ଲାଭ କରିଛି। ୨୦୩୦ ସୁଦ୍ଧା ଚୀନ୍ ବିଶ୍ୱର ପ୍ରମୁଖ ଶକ୍ତିଶାଳୀ ରାଷ୍ଟ୍ର ହେବାର ଅଭିଳାଷ ରଖିଛି।