ବୃଦ୍ଧ ଦମ୍ପତିଙ୍କୁ ହତ୍ୟା : ପୋତା ଯାଇଥିବା ଶବ ହେଲା ଉଦ୍ଧାର

ଝୁମ୍ପୁରା/ଉଖୁଣ୍ଡା/କେନ୍ଦୁଝର,ଏନ୍ଏନ୍ଏସ୍ : କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅନ୍ତର୍ଗତ କାଶିଆ ଗ୍ରାମ ଜଙ୍ଗଲ ପାଶ୍ୱର୍ରୁ ଝୁମ୍ପୁରା ପୁଲିସ ଗୁରୁବାର ମଧ୍ୟାହ୍ନ ସମୟରେ ୨ଟି ପୋତା ଯାଇଥିବା ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତକ ୨ଜଣ ନିକଟସ୍ଥ ପାଟବିଲା ଗ୍ରାମର ବୁଦ୍ଧଦେବ ମହାକୁଡ (୬୦ବର୍ଷ) ଏବଂ ତାଙ୍କ ସ୍ତ୍ରୀ ମାଳତୀ ମହାକୁଡ (୫୫ବର୍ଷ) ବୋଲି ଜଣାପଡିଛି। ତେବେ ଏହି ବୃଦ୍ଧ ଦମ୍ପତିଙ୍କ ପୁଅ କାର୍ତିକ ମହାକୁଡ, ତାଙ୍କ ମା’ ଓ ବାପାଙ୍କୁ ମାରି ଦିଆଯାଇଥିବା ଅଭିଯୋଗ କରି ଥାନାରେ ଏତଲା ଦେଇଛନ୍ତି। ଦମ୍ପତିଙ୍କୁ ହତ୍ୟା କରାଯାଇ ପୋତି ଦିଆଯାଇଥିବା ପୁଲିସ ସନ୍ଦେହ କରୁଛି। ଜମିଜମା ଗଣ୍ଡଗୋଳରୁ ଦମ୍ପତିଙ୍କୁ ହତ୍ୟା କରାଯାଇଥିବା ନେଇ ପୁଲିସ ତଦନ୍ତ ଜାରି ରଖିଛି।

ସୂଚନା ଅନୁଯାୟୀ, ପାଟବିଲା ଗ୍ରାମ ପାଖ କାଶିଆ ଜଙ୍ଗଲ ପାଶ୍ୱର୍ରେ ପ୍ରତ୍ୟେକ ଶୁକ୍ରବାର ସାପ୍ତାହିକ ହାଟ ବସିଥାଏ। ବୃଦ୍ଧ ଦମ୍ପତି ଗତ ୮/୧୧ରିଖ ଶୁକ୍ରବାର ଦିନ ସାପ୍ତାହିକ ହାଟକୁ ଯାଇ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ବନ୍ଧୁ ବାନ୍ଧବ ସହିତ ଅନ୍ୟାନ୍ୟ ସ୍ଥାନରେ ଖୋଜା ଖୋଜି ଜାରି ରଖିଥିଲେ।

ବୁଧବାର ସନ୍ଧ୍ୟା ସମୟରେ କାଶିପାଳ ଜଙ୍ଗଲ ପାଶ୍ୱର୍ରେ ବନ ବିଭାଗ ପକ୍ଷରୁ ପ୍ଲାନଟେସନ କରାଯାଇଥିବା ଗଛ ଗୁଡିକ ନିମନ୍ତେ ଜଳ ସଂରକ୍ଷଣ ପାଇଁ ଖୋଳା ଯାଇଥିବା ଟ୍ରେଚଂ ୨ଟିରେ ୨ଟି ଶବ ପୋତା ଯାଇଥିବା ନେଇ ଛେଳି ଚରାଳି ମାନେ ଗାଁ’ରେ ଖବର ଦେଇଥିଲେ। ଅଳ୍ପ ଗାଢ ଥିବା ଟ୍ରେଚଂ ଦ୍ୱୟରେ ଶବ ରଖି କେବଳ ମାଟି ଘୋଡାଯାଇ ଥିବାରୁ ସେଠାରୁ ଦୂର୍ଗନ୍ଧ ବାହାରୁଥିଲା। ଦମ୍ପତିଙ୍କ ପୁଅ କାର୍ତିକ ସେହି ସ୍ଥାନରେ ପଡିଥିବା ମା’ ବାପାଙ୍କ ଚପଲ ଓ କପଡା ଦେଖି ସନ୍ଦେହ କରି ଝୁମ୍ପୁରା ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଁଚି ତଦନ୍ତ ଜାରି ରଖିବା ସହିତ ସାଇନଟିଫିକ ଟିମକୁ ଖବର ଦେଇଥିଲା। ମଧ୍ୟାହ୍ନ ସମୟରେ ଚମ୍ପୁଆ ଏସଡିପିଓ ହରିହର ପାଣି,ମାଜିଷ୍ଟ୍ରେଟ ଦାୟୀତ୍ୱରେ ଥିବା ଝୁମ୍ପୁରା ତହସିଲଦାର ଜନକ ନାୟକ,ପୁଲିସ ସାଇନଟିଫିକ ଟିମ,ଝୁମ୍ପୁରା ପୁଲିସ ଉପସ୍ଥିତ ରହି ପୋତା ଯାଇଥିବା ଦମ୍ପତିଙ୍କ ଶବ ଦ୍ୱୟକୁ ବାହାର କରି ବ୍ୟବଛେଦ ପାଇଁ ପଠାଇଥିବା ଜଣାପଡିଛି।