ମହାରାଷ୍ଟ୍ରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ

ମହାରାଷ୍ଟ୍ର: ମଙ୍ଗଳବାର ସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ପରେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। କିଛି ସମୟ ପୂର୍ବେ ରାଜ୍ୟପାଳ ଭଗତ ସିଂହ କୋସିଆରୀ ରାଷ୍ଟ୍ରପତିଙ୍କୁ ଏନେଇ ସୁପାରିଶ କରିଥିଲେ। ରବିବାର ଵିଜେପି ରାଜ୍ୟପାଳଙ୍କୁ ସାକ୍ଷାତ କରି ସରକାର ଗଠନ ପାଇଁ ନିଜର ଅସମର୍ଥତା ପ୍ରକାଶ କରିବା ପରେ ରାଜ୍ୟପାଳ ଶିବସେନାକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ ଓ ୨୪ ଘଣ୍ଟା ଅର୍ଥାତ ସୋମବାର ସନ୍ଧ୍ୟା ୭ଟା ୩୦ ମିନିଟ ପର୍ୟ୍ୟନ୍ତ ସମୟ ଦେଇଥିଲେ।

ପୂର୍ବରୁ ବିଜେପି ସହ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଟଣା ଓଟରା ପରେ ମିଳିତ ସରକାର ଗଠନରେ ସମର୍ଥନ କରିବ ନାହିଁ ବୋଲି ଶିବସେନା କହିଥିବା ବେଳେ ରାଜ୍ୟପାଳଙ୍କ ଠାରୁ ଆମନ୍ତ୍ରଣ ପାଇବା ପରେ ଦଳ କଂଗ୍ରେସ ଓ ଏନସିପି ସହ ଆଲୋଚନା କରିଥିଲା କିନ୍ତୁ ସୋମବାର ସଂଧ୍ୟା ସୁଦ୍ଧା ଉଭୟ ଏନସିପି ଓ କଂଗ୍ରେସ ସମର୍ଥନ କରିବା ନେଇ କୌଣସି ସଂକେତ ଦେଇ ନ ଥିଲେ।

ଆଜି ମହାରାଷ୍ଟ୍ରରେ ଏନସିପିର କୌଣସି ନିଷ୍ପତ୍ତି ପୂର୍ବରୁ ରାଜ୍ୟପାଳ ଭଗତ ସିଂହ କୋସିଆରୀ କେନ୍ଦ୍ର ସରକାରଙ୍କୁ ରାଜ୍ୟରେ ଉପୁଜିଥିବା ସାମ୍ବିଧାନିକ ସଙ୍କଟ ସମ୍ପର୍କରେ ରିପୋର୍ଟ ଦେବା ସହ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କରିଥିଲେ। କେନ୍ଦ୍ର କ୍ୟାବିନେଟ ମଧ୍ୟ ଏହାକୁ ଅନୁମୋଦନ କରିଥିଲା ଓ ପରେ ରାଷ୍ଟ୍ରପତି ମଧ୍ୟ ଅନୁମୋଦନ କରିଛନ୍ତି।