ମୋବାଇଲ ଫାଟି ଜଣେ କାରିଗରର ମୃତ୍ୟୁ

ପାରାଦୀପ,ଏନ୍ଏନ୍ଏସ୍: ରାତିରେ ଶୋଇଥିବାବେଳେ ମୋବାଇଲ ଫାଟିବାରୁୂ ଜଣେ ଯୁବକର ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତକ ଜଣଙ୍କ ନୟାଗଡ଼ ଜିଲ୍ଲା ଲେମ୍ବାଗୁଡ଼ା ଗ୍ରାମର କୁନା ପ୍ରଧାନ। ମିଳିଥିବା ସୂଚନା ଅନୁସାରେ ପାରାଦୀପର ଲକପଡ଼ା ଅଞ୍ଚଳରେ ରବିବାର ବିଳମ୍ବିତ ରାତିରେ ଜଗନ୍ନାଥ ଟ୍ରକ ମାଲିକ ସଂଘ କାର୍ୟ୍ୟାଳୟରେ ଏକ ମନ୍ଦିର ନିର୍ମାଣ କାର୍ୟ୍ୟ ଚାଲିଥିଲା। ଏ ନେଇ ନୟାଗଡ଼ ଜିଲ୍ଲାର କେତେଜଣ କାରିଗର ସେଠାରେ କାର୍ଯ୍ୟକରୁଥିଲେ।

ରବିବାର ରାତିରେ କାରିଗରମାନେ ଶୋଇଥିଲେ। ତେବେ କୁନା ମୋବାଇଲକୁ ଚାର୍ଜରେ ବସାଇ ଛାତି ଉପରେ ରଖି ଶୋଇଥିଲେ। ରାତିରେ ମୋବାଇଲ ଫାଟିଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ଅନୁସନ୍ଧାରୁ ଜଣାପଡ଼ିଛି। ଅନ୍ୟପଟେ କୁନାଙ୍କ ପରିବାର ପକ୍ଷରୁ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ପୁଲିସ ମୃତ ଦେହ ଜବତ କରିଥିବାବେଳେ ମୋବାଇଲ ଫାଟି କୁନାଙ୍କ ମୃତ୍ୟୁ ଘଟିଛି କି ଆଉ କିଛି କାରଣ ରହିଛି ତାହାର ତଦନ୍ତ କରୁଛି।