ବୁଲବୁଲ୍ ଉଡାଇନେଲା ଚାଷୀଙ୍କର ସର୍ବସ୍ୱ: ରାଜନଗର, ରାଜକନିକା, ଆଳିରେ ଅଧିକ କ୍ଷତି

କେନ୍ଦ୍ରାପଡ଼ା,ଏନ୍ଏନଏସ୍: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ବୁଲବୁଲ୍ ଓଡିଶାରେ ସ୍ଥଳଭାଗ ଛୁଇଁନଥିଲେ ମଧ୍ୟ ଏହାର ପ୍ରଭାବରେ କେନ୍ଦ୍ରାପଡା ଜିଲ୍ଲାର ଆଳି, ରାଜନଗର, ରାଜକନିକାରେ ବ୍ୟାପକ କ୍ଷୟକ୍ଷତି ସୃଷ୍ଟି କରିଥିବା ଜଣାପଡିଛି । ଫଳରେ ସେହି ସବୁ ଅଂଚଳ ସହ ଜିଲ୍ଲାର ଅନ୍ୟାନ୍ୟ ଅଂଚଳରେ ତୁହାକୁ ତୁହା ଲଗାଣ ବର୍ଷା ଓ ପବନ ସାଧାରଣ ଜୀବନଯାତ୍ରା କୁ ଦୁଇଦିନ ଧରି ପ୍ରଭାବିତ କରିଛି । ପବନ ଯୋଗୁ ଜିଲ୍ଲାର ସମସ୍ତ ଅଂଚଳରେ ଧାନଚାଷ ଉଜୁଡି ଯାଇ ଓ ପାଣିରେ ବୁଡି ରହି ଚାଷୀମାନଙ୍କର ସର୍ବାଧିକ କ୍ଷତି ହୋଇଥିବାରୁ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

ପ୍ରକାଶଯୋଗ୍ୟ ଯେ ବାତ୍ୟା ବୁଲ୍ବୁଲ୍ କେନ୍ଦ୍ରାପଡା ଦେଇ ଯାଇ ନଥିଲେ ମଧ୍ୟ ଏହାର ପ୍ରଭାବରେ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା, ଆଳି, ରାଜନଗର ଓ ରାଜକନିକା ବ୍ଲକ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି । ଦୁଇଦିନ ଧରି ବର୍ଷା ଲାଗି ରହିଥିବା ବେଳେ ଶୁକ୍ରବାର ରାତିରେ ବର୍ଷା, ପବନ ବହୁ ପରିମାଣରେ ହୋଇଥିଲା । ଏଥିରେ ରାଜନଗର ଓ ରାଜକନିକା ସହ ବିଭିନ୍ନ ବ୍ଲକ ଅଂଚଳରେ ଛପର ଘର ଉଡିଯାଇଥିବାର ସୂଚନା ମିଳିଛି ।

ଶତାଧିକ ଲୋକଙ୍କର କଦଳୀଗଛ, ସଜନା ଓ ଚାଖୁଣ୍ଡାଗଛ ଇତ୍ୟାଦି ବିଭିନ୍ନ ସ୍ଥାନରେ ଭାଙ୍ଗିପଡି ରାସ୍ତା ଅବରୋଧ ହୋଇଥିବାବେଳେ ବିଲରେ ଧାନ ଗଛ ଗୁଡିକ ଶୋଇ ପଡି ଭୂମିରେ ମିଶିଯାଇଛି । ଜିଲ୍ଲା ଜରୁରୀକାଳୀନ ବିଭାଗ ସୁତ୍ରରୁ ପ୍ରକାଶ ଯେ ଶନିବାର ସକାଳ ୮ଟା ସୁଦ୍ଧା କେନ୍ଦ୍ରାପଡା ଜିଲ୍ଲାର ୯ଟି ଯାଙ୍କ ବ୍ଲକରେ ମୋଟ୍ ୬୮୦ ମିଲିମିଟର ବର୍ଷା ହୋଇଛି । ତେବେ ରାଜନଗର ବ୍ଲକରେ ସର୍ବାଧିକ ୧୮୦ ମିଲିମିଟର ହୋଇଥିବାବେଳେ କେନ୍ଦ୍ରାପଡାରେ ସର୍ବନିମ୍ନ ୨୯ ମିଲିମିଟର ବର୍ଷା ହୋଇଛି ।

ସେହିପରି ରାଜକନିକାରେ ୧୩୬, ଆଳିରେ ୮୯, ମହାକାଳପଡାରେ ୭୫, ଗରଦପୁରରେ ୪୬, ମାର୍ଶାଘାଇରେ ୪୪, ଡେରାବିଶ୍ରେ ୪୪, ପଟ୍ଟାମୁଣ୍ଡାଇରେ ୩୭ ମିଲିମିଟର ବର୍ଷା ହୋଇଛି । ଏହି ବର୍ଷା ଦ୍ୱାରା ରାଜକନିକା ଓ ରାଜନଗର ବ୍ଲକର ତଳିଆ ଅଂଚଳର ଧାନ ଗଛ ଗୁଡିକ ବୁଡି ରହିଥିବାବେଳେ ପବନ ଯୋଗୁ ପ୍ରାୟ ସମସ୍ତ ବ୍ଲକର ଅଧିକାଂଶ କ୍ଷେତ ଜମିରେ ଧାନ ଗଛ ଗୁଡିକ ଶୋଇ ପଡିଛି । ଏହି ବାତ୍ୟାକୁ ସମ୍ମୁଖୀନ କରିବା ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ପ୍ରସ୍ତୃତ ହୋଇ ରହିଥିଲେ ମଧ୍ୟ ଚାଷୀମାନଙ୍କ ଦୁଃଖ ଦୂର କରିପାରିନାହିଁ । ତେବେ ବାତ୍ୟାର କ୍ଷୟକ୍ଷତି ଆକଳନ କରିବା ପାଇଁ ପ୍ରତି ବ୍ଲକରେ ଏକ କମିଟି ଗଠନ ହେବା ସହ ୨ସପ୍ତାହ ମଧ୍ୟରେ ଉକ୍ତ କମିଟି ରିପୋର୍ଟ ପ୍ରଦାନ କରିବା ପାଇଁ ଜିଲ୍ଲାପାଳ ସମର୍ଥ ବର୍ମା ନିର୍ଦ୍ଦେଶ ଦେଇଛନ୍ତି । ଶନିବାର ଅପରାହ୍ନରେ ବାତ୍ୟା ପ୍ରଭାବହୀନ ହେବାପରେ ଲୋକମାନେ ବାହାରକୁ ବାହାରିଛନ୍ତି ।

ଏଥିସହିତ ରାସ୍ତାରେ ଅବରୋଧ କରୁଥିବା ଭଙ୍ଗା ଗଛ ଗୁଡିକୁ ଉଠାଇ ଦିଆଯାଇଛି । ତେବେ ଗ୍ରାମାଂଚଳରେ ବିଦ୍ୟୁତ୍ ସଂଯୋଗ ହୋଇନଥିବାରୁ ଦୁଇଦିନ ଧରି ବିଦ୍ୟୁତ୍ ସରବରାହ ବନ୍ଦ ଥିବାରୁ ଲୋକମାନେ ଦୁର୍ଦ୍ଦଶା ଭୋଗୁଛନ୍ତି । ଏଥିପ୍ରତି ତୁରନ୍ତ ପଦକ୍ଷେପ ନେବାପାଇଁ ସାଧାରଣରେ ଦାବୀ ହୋଇଛି । ଜିଲ୍ଲାପାଳ ସମର୍ଥ ବର୍ମା ବର୍ଷା ପବନ ହେଉଥିବା ସମୟରେ ଶନିବାର ସକାଳୁ ରାଜନଗରର ବିଭିନ୍ନ ଅଂଚଳ ସହ ଅନ୍ୟ ବ୍ଲକକୁ ଯାଇ ପରିସ୍ଥିତି ଉପରେ ନଜର ପକାଇଛନ୍ତି ।