ପୁରୀ-ସୁରଟ ଟ୍ରେନରୁ ୪୭ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା,ଏନ୍ଏନ୍ଏସ୍: ବେଆଇନ ଭାବେ ଶ୍ରମିକ ଚାଲାଣ ହେଉଥିବାବେଳେ ନୂଆପଡ଼ା ପୁଲିସ ଖବରପାଇ ପୁରୀ-ସୁରଟ ଟ୍ରେନରୁ ୪୭ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ସେମାନଙ୍କ ମଧ୍ୟରେ ୧୮ଜଣ ପୁରୁଷ, ୧୧ଜଣ ମହିଳା ଓ ୧୮ଜଣ ଶିଶୁ ଅଛନ୍ତି। ଉଦ୍ଧାର ହୋଇଥିବା ଶ୍ରମିକମାନେ ହେଲେ ବଲାଙ୍ଗିର ଜିଲ୍ଲାର ବେଲପଡ଼ା, ବଙ୍ଗୋମୁଣ୍ଡା, ଟିଟିଲାଗଡ଼, ସୋନପୁର ଜିଲ୍ଲାର ବିନିକା, କଲାହାଣ୍ଡି ଜିଲ୍ଲା ଭବାନୀପାଟଣା ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ ସେମାନଙ୍କୁ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ଦାଦନ ଦଲାଲ ରାଜା ଖାଁ ଆନ୍ଧ୍ରପ୍ରଦେଶର ସିକନ୍ଦରାବାଦକୁ ଦାଦନ ଖଟେଇବାକୁ ଟ୍ରେନ ଯୋଗେ ନେଉଥିଲେ। କୌଣସି ସୂତ୍ରରୁ ଖବର ପାଇ ନୂଆପଡ଼ା ଜିଲ୍ଲା ଆରକ୍ଷୀଅଧିକ୍ଷକ ବିନୀତ ଅଗ୍ରନୱାଲଙ୍କ ନିର୍ଦ୍ଦେଶ କ୍ରମେ ସଦର ଆଇଆଇସି ଆଦିତ୍ୟ ମହାକୁଡଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ଖରିଆରରୋଡ ରେଳ ଷ୍ଟେସନରେ ଉକ୍ତ ଟ୍ରେନରୁ ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲେ। ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବାବେଳେ ସମସ୍ତ ଶ୍ରମିକଙ୍କୁ ନିଜ ନିଜ ଗାଁ’ରେ ଛଡ଼ାଯିବ ବୋଲି ଶ୍ରୀ ମହାକୁଡ଼ ସୂଚନା ଦେଇଛନ୍ତି।