ଆଉ ଏକ ସେକ୍ସ ରାକେଟର ପର୍ଦ୍ଦାଫାସ

ଜଣେ ମହିଳାଙ୍କ ସମେତ ୩ ଗ୍ରାହକଙ୍କୁ ଗିରଫ କଲା ପୁଲିସ

ବଲାଙ୍ଗିର,ଏନଏନ୍ଏସ୍ : ବଲାଙ୍ଗୀର ଭୀମଭୋଇ କେଡିକାଲ କଲେଜ ନିକଟରେ ଦୀର୍ଘ ଦିନ ହେଲା ଏକ ସେକ୍ସ ରାକେଟର ଚାଲିଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ଏଭଳି କି ସେକ୍ସ ରାକେଟର ଚାଲିଥିବା ନେଇ ଏକ ସାଂମ୍ବାଦିକ ସମ୍ମିଳନୀରେ ବଲାଙ୍ଗୀର ବିଧାୟକ ମଧ୍ୟ ଅଭିଯୋଗ କରିଥିଲେ । ତେବେ ଇତି ମଧ୍ୟରେ ବଲାଙ୍ଗୀର ଆଦର୍ଶ ଥାନା ପୁଲିସ ଏହି ସେକ୍ସ ରାକେଟର  ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି ।

ଦେହ ବ୍ୟାପାର ଚାଲୁଥିବା ସମୟରେ ପୁଲିସ ମେଡିକାଲ କଲେଜ ନିକଟରେ ଥିବା ଏକ ଘର ଉପରେ ଚଢ଼ାଉ କରି ଅସଂଯତ ଅବସ୍ଥାରେ ଥିବା ଜଣେ ଦେହଜୀବୀ , ୩ଜଣ ଗ୍ରାହକ ଓ ଏହି ସେକ୍ସ ରାକେଟର ଚଳାଉଥିବା ଜଣେ ମହିଳାଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ପାଟଣାଗଡ ଥାନା ଅନ୍ତର୍ଗତ ଅଏଁଲାତରା ର ପ୍ରେମଶୀଳା ସାହୁ (୨୭) , ସୋନପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ବଡଜୋର ଗାଁର ଭଗବାନ ନାଏକ (୨୨) , ପୁଇଁନ୍ତଲା ଥାନା ଅନ୍ତର୍ଗତ ସିଲେଟପଡା ର ଭୋଜରାଜ କାଲସାଏ (୩୧) ଓ ସେହି ସିଲେଟପଡ଼ାର ଅଶୋକ ନାଏକ (୪୪) । ସେମାନଙ୍କ ନିକଟରୁ ୧୪ ହଜାର ୫୦ ଟଙ୍କା , ୮ ଟି ମୋବାଇଲ ଫୋନ ଓ ଗୋଟାଏ ମୋଟର ସାଇକଲ ଓ ବହୁ ଆପତି ଜନକ ଦ୍ରବ୍ୟ ଜବତ କରିଛି ବୋଲି ସ୍ଥାନୀୟ ଆଦର୍ଶ ଥାନା ପରିସରରେ ଆୟୋଜିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସଦର ଏସଡିପିଓ ଶ୍ରୀମନ୍ତ ବାରିକ ଓ ଥାନାଧିକାରୀ ସଂଗ୍ରାମ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ପୂଲିସର ସୂଚନା ଅନୁଯାୟୀ ,ମେଡିକାଲ କଲେଜ ନିକଟରେ ଥିବା ଏକ ଘରେ ରୁବି ନାମ୍ନି ଜଣେ ମହିଳା ଦେହ ବ୍ୟବସାୟ କାରବାର ଚଳାଉଥିବା ନେଇ ସୂଚନା ମିଳିଥିଲା । ସୂଚନାକୁ ଆଧାର କରି ଆଦର୍ଶଥାନା ଏସଆଇ ଆର.କେ.ସାହୁଙ୍କ ନେତୃତ୍ୱରେ ଏକ ଟିମ ସେହି ଘର ଉପରେ ଚଢାଉ କରିଥିଲା । ଚଢାଉ ସମୟରେ ପୁଲିସ ପ୍ରଥମେ ପିଡିତା ଯୁବତୀ ମହାଦେଇ ବିଶିଙ୍କୁ ଉଦ୍ଧାର କରିଥିଲା । ଏହା ସହିତ ଅସଂଯତ ଅବସ୍ଥାରେ ଥିବା ୩ ଗ୍ରାହକ ଓ କାରବାର ଚଳାଇଥିବା ମହିଳାଙ୍କୁ ଗିରଫ କରିଥିଲା । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ପିଡ଼ିତା ଯୁବତୀଙ୍କୁ କୋର୍ଟରେ ହାଜର କରାଯାଇ ସ୍ୱଧାର ଗୃହକୁ ପଠାଇ ଦିଆଯାଇଛି । ସୂଚନାଯୋଗ୍ୟ ଯେ , ଦୁଇଦିନ ତଳେ ପୁଲିସ ପୁଇଁନ୍ତଲା ଥାନା ଅଂଚଳରେ ଏକ ସେକ୍ସ ରାକେଟର ଠାବ କରିଥିଲା । ସହର ଠାରୁ ଆରମ୍ଭ କରି ଗ୍ରାମାଂଚଳ ପର୍ଯ୍ୟନ୍ତ ବଲାଙ୍ଗୀର ଜିଲ୍ଲାରେ ଏହି ସେକ୍ସ ରାକେଟର କାରବାର ବ୍ୟାପକ ଭାବରେ ଚାଲୁଥିବାର ଅଭିଯୋଗ ହୋଇଆସୁଛି । ଗରୀବ ନିରୀହ ଝିଅମାନଙ୍କୁ କିଛି ଅସାଧୁ ଦଲାଲ ଏହି କାରବାରରେ ଲିପ୍ତ କରାଇ ପ୍ରଚୁର ଅର୍ଥ ଉପାର୍ଜନ କରୁଛନ୍ତି । ତେବେ ଆଗାମୀ ଦିନରେ ମଧ୍ୟ ଏହି କାରବାର ଉପରେ ଅଙ୍କୁଶ ଲଗାଇବା ପାଇଁ ବିଭିନ୍ନ ସ୍ଥାନରେ ଘନଘନ ଚଢାଉ କରାଯିବ ବୋଲି ପୁଲିସ କହିଛି ।