ମାଛ ପାଇଁ ଶିକ୍ଷକଙ୍କୁ ହତ୍ୟା: ୪ ଅଟକ

ଦେବଗଡ଼, ଏନଏନଏସ : ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ପାଳୁଣୀପଡ଼ା ଗ୍ରାମରେ ଗତକାଲି ରାତିରେ ଜଣେ ଶିକ୍ଷକଙ୍କୁ ହତ୍ୟା କରାଯାଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାଇ ପାଳୁଣୀପଡ଼ା ଗ୍ରାମର ଶିକ୍ଷକ ଆଶୁତୋଷ ପଟେଲ ଗ୍ରାମରେ ଥିବା ନିଜ ଘର ଠାରୁ ଅଳ୍ପ ଦୂରରେ ଥିବା ନିଜ ପୋଖରୀରେ ମାଛ ଚାଷ କରିଥିଲେ । ପୂର୍ବରୁ ସାନ୍ଧ୍ୟକ୍ଷ ସମୟରେ କେତେକ ଦୁର୍ବୃତ୍ୱ ପୋଖରୀରୁ ମାଛ ଚୋରି କରିନେଉଥିବାରୁ ଆଶୁତୋଷ ନିଜେ ସନ୍ଧ୍ୟା ସମୟରେ ଉକ୍ତ ପୋଖରୀ କୁ ଯାଇ ଜଗାରଖା କରୁଥିଲେ ।

ଏହି କ୍ରମରେ ଗତକାଲି ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଶିକ୍ଷକ ଆଶୁତୋଷ ନିଜ ପୋଖରୀକୁ ଯାଇଥିଲେ। ତେବେ ବିଳମ୍ବିତ ରାତି ପର୍ୟ୍ୟନ୍ତ ଘରକୁ ନଫେରିବାରୁ ପରିବାରଲୋକେ ଖୋଜାଖୋଜି କରି ଉକ୍ତ ପୋଖରୀକୁ ଯାଇଥିବାବେଳେ ଆଶୁତୋଷଙ୍କ କ୍ଷତାକ୍ତ ମୃତଦେହ ପଥରବାନବନ୍ଧା ଅବସ୍ଥାରେ ପୋଖରୀରେ ପଡିଥିବା ଦେଖିବାକୁ ପାଇଥିଲେ ।

ପୋଖରୀକୁ ମାଛ ଚୋରି କରିବାକୁ ଆସିଥିବା ଦୁର୍ବୃତ୍ୱ ମାନେ ଆଶୁତୋଷଙ୍କୁ ହତ୍ୟା କରି ପୋଖରୀରେ ଫିଙ୍ଗିଥିବା ସନ୍ଦେହକରି ପରିବାର ଲୋକେ କଂସର ଫାଣ୍ଡିରେ ଅଭିଯୋଗ କରିବାପରେ ପୁଲିସ ଘଟଣା ସ୍ଥଳରେ ପହଂଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିବାସହ ଏହି ଘଟଣାରେ ସମ୍ପୃକ୍ତି ସନ୍ଦେହରେ ଆଖ ପାଖ ଅଂଚଳର ୪ ଯୁବକଙ୍କୁ ଥାନାରେ ଅଟକରଖି ପଚାରାଉଚୁରା କରୁଥିବା ବେଳେ ପୁଲିସ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଁଚିଥିବା ଜଣାପଡିଛି ।