ଗାଁରେ ଚାଲୁଥିଲା ସେକ୍ସ ରାକେଟ: ଗ୍ରାହକଙ୍କୁ ଧରି ନିର୍ଦ୍ଧୁମ ଛେଚି ପୁଲିସରେ ଜିମା ଦେଲେ ଗ୍ରାମବାସୀ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ବୁରୋଭାଡି ଗାଁରେ ଦୀର୍ଘ ୨ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ଦେହ ବ୍ୟବସାୟ ଚାଲି ଆସିଥିବାବେଳେ ବୁଧବାର ଗ୍ରାମବାସୀ ୩ ଜଣ ଗ୍ରାହକ ଓ ଜଣେ ଯୁବତୀଙ୍କୁ ଧରି ପୁଲିସର ଜିମା ଦେଇଛନ୍ତି।

ସୂଚନା ଅନୁଯାୟୀ, ରମାକାନ୍ତ ଦୀର୍ଘ ୨ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ବିଭିନ୍ନ ସ୍ଥାନରୁ ଦେହଜୀବୀଙ୍କୁ ଆଣି ନିଜ ଘରେ ରଖି ଦେହ ବ୍ୟବସାୟ ଚଳାଇ ଆସୁଥିଲା। ବିଭିନ୍ନ ସ୍ଥାନରୁ ଗ୍ରାହକ ମଧ୍ୟ ଆଣୁଥିଲା। ମଙ୍ଗଳବାର ଗ୍ରାମବାସୀ ଏକ ବୈଠକ କରି ରଙ୍ଗେହାତ ଦେହ ବ୍ୟବସାୟ କାରବାରକୁ ଧରିବା ପାଇଁ ଯୋଜନା କରିଥିଲେ। ପରେ ରାତ୍ରି ୧୧ଟା ସମୟରେ ଜଣେ ଝିଅ ସହିତ ୩ ଜଣ ଯୁବକ ରମାକାନ୍ତଙ୍କ ଘର ଭିତରେ ଅସଂଯତ ଅବସ୍ଥାରେ ଥିବାବେଳେ ଗ୍ରାମବାସୀ ତାଙ୍କୁ ଧରିଥିଲେ। ପରେ ଗାଁରେ ଥିବା ବିଦ୍ୟୁତ୍ ଖୁଣ୍ଟିରେ ୩ଜଣ ଯୁବକଙ୍କୁ ବାନ୍ଧି ନିସ୍ତୁକ ମାଡ ମାରିଥିଲେ। ପରେ ସେମାନଙ୍କୁ ପୁଲିସରେ ଜିମା ଦେଇଥିଲେ।

ସେମାନେ ହେଲେ ତରଭା ଥାନା ଅନ୍ତର୍ଗତ ତୁଲଣ୍ଡା ଗାଁର ମୁରାରୀ ମିଶ୍ର, ତରଭାର ଓସିଓର ରହେମନ ଓ ବୌଦ୍ଧ ଜିଲ୍ଲା ମନୋମୁଣ୍ଡା ଗାଁର ଗଦାପଦ୍ମ ଷାଣ୍ଡ ବୋଲି ପୁଲିସ ସୂଚନା ଦେଇଛି। ଏହି ପରିପ୍ରେକ୍ଷୀରେ ପୁଲିସ ଘଟଣାସ୍ଥଳରୁ ୩ ଟି ମୋଟର ସାଇକଲ, ୩ଟି ମୋବାଇଲ ଜବତ କରିଛି। ଏ ନେଇ ପୁଲିସ ଅଭିଯୁକ୍ତମାନଙ୍କ ନାଁରେ ଇମମୋରାଲ ଟ୍ରାଫିକିଂ ଆକ୍ଟ- ୧୯୮୬ ଅନୁଯାୟୀ ମାମଲା ରୁଜୁ କରି କୋର୍ଟଚାଲାଣ କରିଛି ଓ ଯୁବତୀଙ୍କୁ କୋର୍ଟରେ ହାଜର କରାଯାଇଥିବା ସଦର ଏସଡିପିଓ ଶ୍ରୀମନ୍ତ ବାରିକ ସୂଚନା ଦେଇଛନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।