ବ୍ଲାକକ୍ୟାଟ୍ କମାଣ୍ଡୋ ମହାନିର୍ଦ୍ଦେଶକ ଦାୟିତ୍ୱ ନେଲେ ଅନୁପ କୁମାର ସିଂ

ନୂଆଦିଲ୍ଲୀ : ଗୁଜୁରାଟ କ୍ୟାଡରର ବରିଷ୍ଠ ଆଇପିଏସ ଅଧିକାରୀ ଅନୁପ କୁମାର ସିଂ ରାଷ୍ଟ୍ରୀୟ ସୁରକ୍ଷା ଗାର୍ଡ ବା ଏନଏସଜିର ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ୧୯୮୫ ମସିହାର ଏହି ଅଫିସର ମଙ୍ଗଳବାର ବ୍ଲାକ କ୍ୟାଟ କମାଣ୍ଡୋ ବଳର ଡିଜି ଭାବରେ ନୂଆ ଦାୟିତ୍ୱ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ମନ୍ତ୍ରୀମଣ୍ଡଳ ନିଯୁକ୍ତି ସମିତି ଅନୁପଙ୍କ ନାମ ଉପରେ ମୋହର ଲଗାଇଥିଲା । ସେପ୍ଟେମ୍ବର ୩୦, ୨୦୨୦ ଯାଏଁ ଏହି ପଦରେ ଅନୁପ କୁମାର ସିଂ ରହିବେ ।

ଏନଏସଜିର ସ୍ଥାପନା ୧୯୮୪ ମସିହାରେ ହୋଇଥିଲା । ଆତଙ୍କବାଦୀ ଆକ୍ରମଣ ଓ ଆତଙ୍କୀଙ୍କ ଦ୍ୱାରା କରାଯାଉଥିବା ଅପହରଣ ଭଳି ଘଟଣାକୁ ସାମ୍ନା କରିବା ପାଇଁ ଏହାର ଗଠନ କରାଯାଇଥିଲା । ଦେଶରେ ୫ଟି ସ୍ଥାନରେ ଏନଏସଜିର କ୍ୟାମ୍ପ ରହିଛି । ଗୁରୁଗାଓଁର ମାନେସରରେ ଏନଏସଜିର ମୁଖ୍ୟ କାର୍ୟ୍ୟାଳୟ ରହିଛି । କିଛି ହାଇ ପ୍ରୋଫାଇଲ ଭିଭିଆଇପିଙ୍କ ସୁରକ୍ଷା ପାଇଁ ମଧ୍ୟ ଏହି ଯବାନମାନଙ୍କୁ ମୁତୟନ କରାଯାଇଛି ।