ଜିଓ ଆଇପିଓର ବିଶ୍ୱ ରେକର୍ଡ

୧.୩୮ କୋଟିରୁ ଅଧିକ ଆବେଦନ, ୨୨ ଗୁଣରୁ ଅଧିକ ସବସ୍କ୍ରିପ୍ସନ୍‌
ଦେଶର ସର୍ବବୃହତ୍ ଜିଓ ଆଇପିଓ ଐତିହାସିକ ସମାପ୍ତି ସହ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଜିଓ ପ୍ଲାଟଫର୍ମସ୍‌ର ୩୦,୨୧୩ କୋଟି ଟଙ୍କାର ଆଇପିଓରେ ତିନି ଦିନ ମଧ୍ୟରେ ୧.୩୮ କୋଟିରୁ ଅଧିକ ଆବେଦନ ମିଳିଛି। ବିଶ୍ୱରେ ଯେକୌଣସି ଆଇପିଓ ପାଇଁ ଏହା ଏପର୍ଯ୍ୟନ୍ତ ମିଳିଥିବା ସର୍ବାଧିକ ଆବେଦନ ସଂଖ୍ୟା। ଶୁକ୍ରବାର ସନ୍ଧ୍ୟା ୭ଟାରେ ବିଡିଂ ବନ୍ଦ ହେବା ସୁଦ୍ଧା ଜିଓ ଆଇପିଓ ୨୨ ଗୁଣରୁ ଅଧିକ ସବସ୍କ୍ରାଇବ୍ ହୋଇଥିଲା। ଆଙ୍କର୍ ଓ ଅଣ-ଆଙ୍କର୍ ନିବେଶକଙ୍କ ମୋଟ ବିଡ୍ ର ପରିମାଣ ପ୍ରାୟ ୭.୪୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିଲା। ଏଥିରେ ଅଣ-ଆଙ୍କର୍ ନିବେଶକଙ୍କ ପକ୍ଷରୁ ପ୍ରାୟ ୪.୯୦ ଲକ୍ଷ କୋଟି ଟଙ୍କା ଏବଂ ଆଙ୍କର୍ ନିବେଶକଙ୍କ ପକ୍ଷରୁ ପ୍ରାୟ ୨.୫୦ ଲକ୍ଷ କୋଟି ଟଙ୍କାର ବିଡ୍ ସାମିଲ ରହିଛି। ଜିଓ ଆଇପିଓରେ ରିଟେଲ ବା ଖୁଚୁରା ନିବେଶକଙ୍କ ମଧ୍ୟରେ ମଧ୍ୟ ସେୟାର କିଣିବା ପାଇଁ ଜୋରଦାର ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। ରିଟେଲ ନିବେଶକ ବର୍ଗରେ ପ୍ରାୟ ୮.୫ କୋଟି ସେୟାର ଉପଲବ୍ଧ ଥିବାବେଳେ ୨୩ କୋଟିରୁ ଅଧିକ ସେୟାର ପାଇଁ ବିଡ୍ ଦାଖଲ ହୋଇଥିଲା। ଅର୍ଥାତ୍‌, ଉପଲବ୍ଧ ସେୟାର ତୁଳନାରେ ୨.୭୨ ଗୁଣ ଚାହିଦା ରହିଥିଲା।

ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ପ୍ରକୃତରେ କେତେ ଜଣ ନିବେଶକଙ୍କୁ ସେୟାର ମିଳିବ। ତେବେ ସବସ୍କ୍ରିପ୍ସନ୍‌ର ଏହି ଅନୁପାତରୁ ସିଧାସଳଖ ସେୟାର ଆବଣ୍ଟନର ସମ୍ଭାବନା ଜଣାପଡ଼େ ନାହିଁ। ବୈଧ ଆବେଦନ, ସର୍ବନିମ୍ନ ଲଟ୍ ଏବଂ ପ୍ରଯୁଜ୍ୟ ଆବଣ୍ଟନ ପ୍ରକ୍ରିୟା ଆଧାରରେ ସେୟାର ବଣ୍ଟନ କରାଯିବ। ବୃହତ୍ ସଂସ୍ଥାଗତ ନିବେଶକ (କ୍ୟୁଆଇବି) ବର୍ଗରେ ୭୦.୫୫ ଗୁଣ ସବସ୍କ୍ରିପ୍ସନ୍ ହୋଇଥିଲା। ଅଣ-ସଂସ୍ଥାଗତ ନିବେଶକ (ଏନଆଇଆଇ) ବର୍ଗରେ ୧୪ ଗୁଣ, ରିଲାଏନ୍ସ ସେୟାରଧାରକ କୋଟାରେ ୭.୬୦ ଗୁଣ ଏବଂ କର୍ମଚାରୀ କୋଟାରେ ୨.୯୩ ଗୁଣ ସବସ୍କ୍ରିପ୍ସନ୍ ହୋଇଥିଲା। ଏବେ ନିବେଶକଙ୍କ ନଜର ସେୟାର ଆବଣ୍ଟନ ଉପରେ ରହିଛି। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଅକ୍ଟୋବର ୨୬ରେ ସେୟାର ଆବଣ୍ଟନ ଚୂଡ଼ାନ୍ତ ହେବ। ଅକ୍ଟୋବର ୨୭ରେ ନିବେଶକଙ୍କ ଡିମାଟ୍ ଖାତାରେ ସେୟାର ଜମା ହେବ ଏବଂ ଅକ୍ଟୋବର ୨୮ରେ ବିଏସଇ ଓ ଏନଏସଇରେ ଜିଓ ପ୍ଲାଟଫର୍ମସର ଲିଷ୍ଟିଂ ହେବା ପ୍ରସ୍ତାବ ରହିଛି। ଆବେଦନ ସଂଖ୍ୟା କ୍ଷେତ୍ରରେ ମଧ୍ୟ ଜିଓ ଆଇପିଓ ପୂର୍ବ ରେକର୍ଡକୁ ବିପୁଳ ବ୍ୟବଧାନରେ ଭାଙ୍ଗିଛି। ଏହା ପୂର୍ବରୁ ସର୍ବାଧିକ ଆବେଦନ ପାଇବାର ରେକର୍ଡ ୱାରୀ ଏନର୍ଜିଜ୍ ନାମରେ ଥିଲା। ୨୦୨୪ ଅକ୍ଟୋବରରେ ଏହାର ଆଇପିଓକୁ ୯୭.୩୪ ଲକ୍ଷ ଆବେଦନ ମିଳିଥିଲା। ଏହା ତୁଳନାରେ ଜିଓ ଆଇପିଓକୁ ପ୍ରାୟ ୪୨ ପ୍ରତିଶତ ଅଧିକ ଆବେଦନ ମିଳିଛି। ଜିଓ ଆଇପିଓର ପ୍ରଥମ ଦିନରେ ପ୍ରାୟ ୩୦.୫ ଲକ୍ଷ ଆବେଦନ ମିଳିଥିଲା। ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଏହି ସଂଖ୍ୟା ୭୫ ଲକ୍ଷ ଅତିକ୍ରମ କରିଥିଲା। ତୃତୀୟ ଦିନରେ ଆବେଦନ ସଂଖ୍ୟା ୧.୩୮ କୋଟିରୁ ଅଧିକରେ ପହଞ୍ଚିଥିଲା। ଜିଓ ଆଇପିଓର ସମାପ୍ତି ଦିବସ ଆଉ ଏକ କାରଣରୁ ମଧ୍ୟ ବିଶେଷ ରହିଥିଲା। ଶୁକ୍ରବାର, ଅକ୍ଟୋବର ୨୩ ତାରିଖରେ ଜିଓ ପ୍ଲାଟଫର୍ମସର ପରିଚାଳନା ନିର୍ଦ୍ଦେଶକ ଆକାଶ ଅମ୍ବାନୀଙ୍କ ଜନ୍ମଦିନ ମଧ୍ୟ ଥିଲା। ଏହି ଦିନରେ ବିଶ୍ୱରେ ସର୍ବାଧିକ ଆବେଦନ ପାଇଥିବା ଆଇପିଓର ଐତିହାସିକ ବିଡିଂ ପ୍ରକ୍ରିୟା ସମାପ୍ତ ହୋଇଛି।