ତଦନ୍ତରେ ଅବହେଳା ଯୋଗୁଁ ମହିଳା ଏସ୍ଆଇ ନିଲମ୍ବିତ

ତାଳଚେର,ଏନ୍ଏନ୍ଏସ୍: ଜଣେ ବିବାହିତା ମହିଳାକୁ ଯୌତୁକ ପାଇଁ ନିର୍ଯାତନା ଦେବା ସହିତ ଶେଷରେ ସେ ଆତ୍ମହତ୍ୟା କରିଥିବା ଘଟଣାର ତଦନ୍ତରେ ଅବହେଳା କରିଥିବା ନେଇ କୋଲିୟରୀ ଥାନାର ସବ୍ଇନ୍ସିପେକ୍ଟର ସୁମିତ୍ରା ପାତ୍ରଙ୍କୁ ସୋମବାର ତାଳଚେର ଉତର କେନ୍ଦ୍ରାଞ୍ଚଳ ଡିଆଇଜି ନରସିଂହ ଭୋଳ ନିଲମ୍ବିତ କରିଛନ୍ତି ।

ପ୍ରକାଶ ଯେ ଘଂଟପଡା ଗ୍ରାମର ଗୋକୁଳ ଚନ୍ଦ୍ର ଦାସ୍ଙ ଝିଅ ସସ୍ମିତା ଦାସ ବଡବିଲର ଦେବେନ୍ଦ୍ର ବାଘସିଂହଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ତେବେ ତାଙ୍କର ବିବାହର କିଛି ଦିନ ପରେ ଅଧିକ ଯୌତୁକ ଆଣିବା ପାଇଁ ସ୍ୱାମୀ ଓ ଦୁଇ ନଣନ୍ଦ ଗିତାଞ୍ଜଳୀ ଓ ପୁଷ୍ପା ନିର୍ଯାତନା ଦେଇ ଆସୁଥିବାବେଳେ ତାଙ୍କୁ ନିଶା ଦେଇ ଅଢ଼େଇ ବର୍ଷର କନ୍ୟା ସହିତ ବାପ ଘରେ ଆଣି ଛାଡି ଦେଇଥିଲେ ।

ଏ ସଂପର୍କରେ ସସ୍ମିତା କୋଲିୟରୀ ଥାନାରେ ଅଭିଯୋଗ କରିବା ସହିତ ଘଟଣା ତଦନ୍ତ ପାଇଁ ଅନୁରୋଧ କରିଆସୁଥିଲେ । ଏହାର କୌଣସି ବିଚାର ନହେବାରୁ ସସ୍ମିତା ନିଜ ବାପ ଘରେ ଆତ୍ମହତ୍ୟା କରିଥିଲେ । ସସ୍ମିତାର ମୃତ୍ୟୁ ପରେ ଦୀର୍ଘ ୭ ମାସ ବିତିଯାଇଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ସ୍ୱାମୀଙ୍କୁ ପୋଲିସ୍ ଗିରଫ କରୁନଥିବା ଯୋଗୁଁ ପରିବାର ଲୋକ ଡିଆଜିଙ୍କ ଠାରେ ଅଭିଯୋଗ କରିଥିଲେ । ଏହି ଘଟଣାର ଅନୁଧ୍ୟାନ କରି ଶ୍ରୀ ଭୋଳ ସବଇନ୍ସିପେକ୍ଟରଙ୍କୁ ନିଲମ୍ବିତ କରିବା ସହିତ ମାମଲାର ତଦନ୍ତର ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।