ଲୁଟ୍ ବୋଲେରୋ ଧକ୍କାରେ ବାପା, ପୁଅ ଓ ଝିଅ ମୃତ

ଯୋଡା,ଏନ୍ଏନ୍ଏସ୍: ସୋମବାର ସନ୍ଧ୍ୟା ୬ ଘଟିକା ସମୟରେ ଗଣେଶ ଭବନ ନିକଟରେ ଯୋଡା ଇଷ୍ଟ ରେଳ ସାଇଡିଂ ପଟୁ ଆସୁଥିବା ଏକ ବୋଲେରୋ ଧକ୍କାରେ ଗୋଟିଏ ପରିବାରର ବାପା, ପୁଅ ଓ ଝିଅଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାପଡିଛି। ଏ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିବାବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ôଚ ବୋଲେରୋ ଚାଳକକୁ ଗୁରୁତର ଅବସ୍ଥାରେ ଟାଟା ଡାକ୍ତରଖାନାକୁ ନେଇଥିବା ଜଣାପଡିଛି।

ଘଟଣାରୁ ପ୍ରକାଶ ଯେ, ଓଆର୦୨-ଏଏନ୍-୫୦୮୬ ବୋଲେରୋ ଡ୍ରାଇଭର ରଜତ କୁମାର ଧଳଙ୍କୁ ଇରଫାନ ଖାନ୍ ଓରଫ ଗୋଲୁଆ ନାମକ ଜଣେ ପେଶାଦାର ଲୁଟେରା ଭୁଜାଲି ଦେଖାଇ ଡ୍ରାଇଭର ନିକଟରୁ ବୋଲେରୋଟିକୁ ଲୁଟ୍ କରି ଚାଲିଯାଉଥିବା ବେଳେ ମାଦ୍ରାସୀ ହଟିଂରେ ରହୁଥିବା ଗୋଟିଏ ପରିବାର ତାଙ୍କ ଘର ସାମନାରେ ଠିଆ ହୋଇଥିବା ସମୟରେ ବୋଲେରୋଟି ଇତସ୍ତତ ହୋଇ ତିନୋଟି ମୋଟରସାଇକେଲକୁ ଧକ୍କା ଦେବା ପରେ ଏହି ପରିବାରର ବାପା ଦୁଲୁ ଲୋହାର ଏବଂ ତାଙ୍କର ୫ ବର୍ଷର ଝିଅ ପ୍ରିୟା, ୪ ବର୍ଷର ପୁଅ ମୁନା କୁ ଧକ୍କା ଦେଇ ଶେଷରେ ଗଣେଶ ଭବନ ନିକଟରେ ଥିବା ଏକ ବିଜୁଳି ଖୁଣ୍ଟକୁ ଧକ୍କା ଦେଇଥିଲା।

ଫଳରେ ଘଟଣା ସ୍ଥଳରେ ଝିଅ ପ୍ରିୟାର ମୃତ୍ୟୁ ଘଟିଥିବା ବେଳେ ବାପା ଦୁଲୁ ଓ ପୁଅ ମୁନା କୁ ଗୁରୁତର ଅବସ୍ଥାରେ ଯୋଡା ସ୍ଥିତ ଟାଟା ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ବାପା ଓ ପୁଅ ର ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାପଡିଛି। ଘଟଣା ସମୟରେ ମା ସବିତା ସେଠାରେ ଉପସ୍ଥିତ ଥିବାରୁ ତାଙ୍କର ୮ ବର୍ଷର ବଡ ଝିଅ ପ୍ରିୟଙ୍କାକୁ ବୋଲେରୋ ସାମନାରୁ ଟାଣି ନେବାରୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଦୁର୍ଘଟଣାଟି ଏତେ ତୀବ୍ର ଥିଲା ଯେ, ବୋଲେରୋଟି ସମ୍ପୂର୍ଣ୍ଣ ଭାବେ ଚୁରମାର ହୋଇଯାଇଛି। ଏହି ଘଟଣାକୁ ନେଇ ଯୋଡାରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

ଏଠାରେ ସୂଚନା ଯୋଗ୍ୟ, ଇରଫାନ ଖାନ ଓରଫ ଗୋଲୁଆ ଜଣେ ପେଶାଦାନ ଅପରାଧି। ଯୋଡା ଥାନାରେ ତା ନାମରେ ଅନେକ ମାମଲା ରହିଛି। ଦୁର୍ଘଟଣାରେ ସେ ମଧ୍ୟ ଗୁରୁତର ଆଘାତ ପାଇଥିବା ବେଳେ ତାହାର ଅବସ୍ଥା ସଙ୍କଟାପର୍ଣ୍ଣ ଥିବା ଜଣାପଡିଛି।