ନୂଆଦିଲ୍ଲୀ: ବିଗବସ ଓଟିଟି-୨ର ବିଜେତା ଏଲଭିଶ ଯାଦବଙ୍କ ବିରୋଧରେ ନୋଏଡ଼ାରେ ସାପ ତସ୍କରୀ ମାମଲା ଦାୟର ହୋଇଛି । ଏଲଭିଶଙ୍କ ବ୍ୟତୀତ ତାଙ୍କ ୫ ସହଯୋଗୀଙ୍କ ବିରୋଧରେ ମଧ୍ୟ ମାମଲା ଦାୟର ହୋଇଥିବା ଜଣାପଡ଼ିଛି । ପୁଲିସ ଏମାନଙ୍କ ପାଖରୁ ୨୦ ଏମଏଲ ସାପ ବିଷ ଓ ୯ ବିଶାକ୍ତ ସାପ ଜବତ କରିଛି ଯାହାର ବ୍ୟବହାର ରେବ ପାର୍ଟିରେ କରାଯାଇଥାଏ । ଏଲଭିଶଙ୍କ ବିରୋଧରେ ବନ୍ୟଜୀବ ସଂରକ୍ଷଣ ସହ ଜଡ଼ିତ ମାମଲା ଅନ୍ତର୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ଅନ୍ୟପଟେ ପୁଲିସର କହିବାନୁସାରେ, ଏଲଭିଶଙ୍କ ସହ ସମ୍ପର୍କ ହୋଇପାରୁ ନାହିଁ । ଏଲଭିଶଙ୍କୁ ଖୋଜିବା ପାଇଁ ପୁଲିସ ଟିମ୍ ଚାରିଆଡ଼େ ରେଡ୍ ମାରୁଛି । ଏମାନଙ୍କଠାରୁ ଯେଉଁ ବିଷ ଜବତ ହୋଇଛି ତାକୁ ଯାଞ୍ଚ ଲାଗି ଏସଏସଏଲ ପାଖକୁ ପଠାଯିବ ।
ଇତିମଧ୍ୟରେ ଏଲଭିଶ ଯାଦବଙ୍କ ସଫେଇ ମଧ୍ୟ ସାମ୍ନାକୁ ଆସିଛି । ଏଲଭିଶଙ୍କ କହିଛନ୍ତି ଯେ, ମୋ ଉପରେ ଲଗାଯାଇଥିବା ସମସ୍ତ ଆରୋପ ଭିତ୍ତିହୀନ । ଏହି ଆରୋପରେ ୧ ପ୍ରତିଶତ ବି ସତ୍ୟତା ନାହିଁ । ଯାହା ବି ଆରୋପ ଲାଗିଛି ଏଥିରେ ମୋର କୌଣସି ନେବା ଦେବା ନାହିଁ ।