କେସିଙ୍ଗା,ଏନ୍ ଏନ୍ଏସ୍: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନଏସି କଲ୍ୟାଣ ମଣ୍ଡପ ପରିସରରେ ସ୍ୱାୟତ୍ତ ଶାସନ ଦିବସ ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସକାଳ ୭ଟା ୩୦ ମିନିଟରେ ପରିଷଦ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍ୱୟଂ ସହାୟକ ମହିଳା, କେସିଙ୍ଗା ଏନଏସି ଅଧ୍ୟକ୍ଷ, ଉପାଧ୍ୟକ୍ଷା ଓ ପାରିଷଦ କର୍ମଚାରୀଙ୍କୁ ନେଇ କେସିଙ୍ଗା ସହରରେ ଏକ ସଚେତନତା ଶୋଭାଯାତ୍ରା ବାହାରି କାର୍ଯ୍ୟକ୍ରମସ୍ଥଳୀ ପହଞ୍ଚିବା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ନର୍ଲା ବିଧାୟକ ଭୂପିନ୍ଦର ସିଂ ଯୋଗ ଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବେ ପଦ୍ମଶ୍ରୀ ବିଜେତା ପଟ୍ଟାୟତ ସାହୁ, ସମ୍ମାନିତ ଅତିଥିଭାବେ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ଏନଏସି କାର୍ଯ୍ୟନିର୍ବାହୀ ଅଧିକରିଣୀ ସୁଶ୍ରୀ କିରଣ ବେହେରା ଓ ଏନଏସି ଉପାଧ୍ୟକ୍ଷା ସରସ୍ୱତୀ ସାହା ମଞ୍ଚାସିନ ଥିଲେ । କେସିଙ୍ଗା ସହର ଭାଇଚାରାର ସହର ହୋଇଥିବାବେଳେ ଏହାର ଉନ୍ନତି ପାଇଁ ଦଳ ନିର୍ବିଶେଷରେ ସମସ୍ତ ପାରିଷଦ ଏକହୋଇ କାର୍ଯ୍ୟ କରିବାକୁ ମୁଖ୍ୟଅତିଥି ପରାମର୍ଶ ଦେଇଥିଲେ । କେସିଙ୍ଗା ସହରର ଉନ୍ନତି ପାଇଁ ସମସ୍ତେ ମିଳିମିଶି କାମ କରିବା ପାଇଁ ନଗରପାଳ ଲୋକଙ୍କ ସହଯୋଗ କାମନା କରିଥିଲେ । ନିର୍ବାହୀ ଅଧିକାରିଣୀ କିରଣ ବେହେରା ଏନଏସିର ବାର୍ଷିକ ବିବରଣୀ ପଠନ କରିଥିବାବେଳେ ଉପାଧ୍ୟକ୍ଷ ସରସ୍ୱତୀ ସାହା ମଧ୍ୟ ଏନଏସିର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ କେସିଙ୍ଗା ଏନଏସି ତରଫରୁ ନବନିର୍ମିତ ଆହାର କେନ୍ଦ୍ରର ରୋଷେଇ ଘର ଓ କେସିଙ୍ଗା ମିନି ଷ୍ଟାଡ଼ିୟମରେ ଜିମ କୋଠରୀ ଉଦଘାଟନ କରାଯାଇଥିଲା । ଶେଷରେ କୃତି ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ଓ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଅଧ୍ୟାପକ ବି.ଚନ୍ଦ୍ରଶେଖର ଆଚାରି ମଞ୍ଚ ପରିଚାଳନା କରିଥିଲେ ।