ବାଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗ୍ରୀସ ଗସ୍ତ ସାରି ସିଧାସଳଖ ବାଙ୍ଗାଲୁରୁ ପହଞ୍ଚିଥିଲେ । ସେଠାରେ ମୋଦୀ ଇସ୍ରୋ ବୈଜ୍ଞାନିକଙ୍କୁ ଭେଟିଛନ୍ତି । ଇସ୍ରୋ ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦୀ ‘ଚନ୍ଦ୍ରାୟନ ୩’ ସହ ଜଡ଼ିତ ବୈଜ୍ଞାନିକଙ୍କୁ ମଧ୍ୟ ଭେଟିଥିବା ଜଣାପଡ଼ିଛି ।
ଇସ୍ରୋ ମୁଖ୍ୟାଳୟରେ ବୈଜ୍ଞାନିକଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ସମ୍ବୋଧନ କରିବା ସମୟରେ ଭାବବିହ୍ୱଳ ହୋଇଯାଇଥିଲେ । ମୋଦୀ କହିଥିଲେ ଯେ, ଆଜି ଆପଣମାନଙ୍କ ଗହଣରେ ରହି ଖୁବ୍ ଖୁସି ଲାଗୁଛି । ଆଜି ମୋ ମନ ପ୍ରାଣ ଖୁସିରେ ପୂର୍ଣ୍ଣ ହୋଇଯାଇଛି । ମୁଁ ଯଥାଶୀଘ୍ର ଆପଣମାନଙ୍କୁ ଭେଟିବାକୁ ଚାହୁଁଥିଲି । ଆପଣ ସମସ୍ତଙ୍କୁ ସେଲ୍ୟୁଟ କରିବାକୁ ଚାହୁଁଥିଲି । ‘ଚନ୍ଦ୍ରାୟନ-୩’ ମୁନ ଲ୍ୟାଣ୍ଡର ଯେଉଁଠି ଓହ୍ଲାଇଛି ତାହା ‘ଶିବଶକ୍ତି’ ପଏଣ୍ଟ ନାମରେ ଜଣାଯିବ । ଏହାସହ ‘ଚନ୍ଦ୍ରାୟନ-୨’ ଯେଉଁଠି ପାଦଚିହ୍ନ ଛାଡ଼ିଲା ତାହା ତ୍ରିରଙ୍ଗା ନାଁରେ ଜଣାଯିବ । ଅଗଷ୍ଟ ୨୩ ଅର୍ଥାତ୍ ଯେଉଁଦିନ ‘ଚନ୍ଦ୍ରାୟନ ୩’ ଚନ୍ଦ୍ରମାରେ ପହଞ୍ଚିଲା ତାହାକୁ ଏବେ ‘ନ୍ୟାସନାଲ ସ୍ପେଶ ଡେ’ ଭାବେ ପାଳନ କରାଯିବ ।